ଆମେ ତାଙ୍କ ଦୟାରେ ବିଧାନସଭାକୁ ଆସିନାହୁଁ : ବିରୋଧୀ ଦଳ ନେତା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ବଡ଼ ଜନ ବିରୋଧୀ। ସେ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି। ତାଙ୍କ ଦୟାରେ ଆମେ ବିଧାନସଭାକୁ ଆସିନାହୁଁ। ସେ କେମିତି ବିଧାନସଭାକୁ ଫେରିବେ ଏକଥା ଚିନ୍ତା କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।
ସେ କହିଲେ ହୁଏତ ସେ ବୁଥ କ୍ୟାପଚର, ସରକାରୀ କଳର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି। ଏହା ସତ୍ତ୍ୱେ ଆମେ ଲୋକଙ୍କ ଦୟାରେ ବିଧାନସଭାକୁ ଆସିଛୁ। ଲୋକ ପୁଣି ଦୟା କଲେ ଆସିବୁ। ହୁଏତ ସେ ଚେଷ୍ଟା କରି ପାରନ୍ତି ଆମେ କେମିତି ବିଧାନସଭା ନ ଫେରି ପାରୁ। ୨୦୦୯ରୁ ତ ପ୍ଲାନ କରୁଛନ୍ତି ମୋତେ କେମିତି ବିଧାନସଭାରେ ପୁରେଇ ଦେବେନି। ଯିଏ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ବିଧାନସଭାରେ ନ ପୁରେଇ ଦେବାକୁ ଚେଷ୍ଟା କରନ୍ତି। ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ପ୍ରଶାନ୍ତ ନନ୍ଦ ତା’ର ଉଦାହରଣ।
ସେ କହିଲେ ଯିଏ କହିଲା ତାକୁ ମ୍ୟାନେଜ କରିବାକୁ ଚେଷ୍ଟା କରୁଛନ୍ତି। ମ୍ୟାନେଜ ନ ହେଲେ ଦବେଇ ଦେବାକୁ ଚେଷ୍ଟା କରୁଛନ୍ତି। ଗୃହରେ ବହୁତ ଲୋକ ମ୍ୟାନେଜ ଅଛନ୍ତି। ବାଚସ୍ପତି ବିଧାନସଭା ରୁଲ ଆଣ୍ଡ ପ୍ରୋସିଜିୟର ବିଷୟରେ କିଛି ଜାଣିଛନ୍ତି କି ? ବିଧାନସଭାରେ ବିରୋଧୀ ଦଳର ନେତାଙ୍କୁ କୁହାଇ ନ ଦେବା, ତାଙ୍କ ମାଇକକୁ କାଟି ଦେବା ପକ୍ଷପାକ୍ଷିତ କରିବା ଏହା କେଉଁ ନିୟମରେ ଅଛି ?
ସେ କହିଲେ ସଂଖ୍ୟା ଗରିଷ୍ଠତା ଅଂହକାରରେ ଅନ୍ଧ ହୋଇ ଯଦି ହାତୀ ଭଳି ଶାରୀରିକ ଶକ୍ତି ନେଇ ପାଗଳାମି କରିବ ସେତେବେଳେ ତାକୁ କାବୁ କରିବା ପାଇଁ ଶଣ୍ଡୁଆଶୀ ବ୍ୟବହାର କରାଯିବ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହା ନାହିଁ ତାହା କରି ଯିବେ କି ? ସେମାନେ ଆମକୁ ମହିଳା ବିରୋଧୀ କହିବେ। ହେଲେ ଆମେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ଜଣେ ମହିଳାଙ୍କୁ ରାଷ୍ଟ୍ରପତି କରିଛୁ। ସେମାନେ କ’ଣ କହିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।