ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୪୧ ଜଣିଆ ପ୍ରାର୍ଥୀ ତାଲିକା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।
ଖବର ଅନୁଯାୟୀ ବିଜେପିର ଏହି ତାଲିକାରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ଦିୟା କୁମାରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ପ୍ରାର୍ଥୀ କରାଯାଇଛି। ଏଥିସହ ଅନେକ ବରିଷ୍ଠଙ୍କୁ ଟିକେଟ ମିଳିନି। ପୂର୍ବତନ ଉପରାଷ୍ଟ୍ରପତି ଭୈରବ ସିଂ ଶେଖାୱତଙ୍କ ଜ୍ୱାଇଁ ନରପତ ସିଂ ରାଜଭିଙ୍କୁ ଜୟପୁରର ବିଦ୍ୟାଧରନଗରରୁ ଟିକେଟ ମିଳିନାହିଁ। ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ଭୋଟ ଗ୍ରହଣ ଓ ଡିସେମ୍ବର ୩ରେ ଗଣିତ ହେବ। ମନୋନୟନ ପତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୬ ରହିଛି।
ସେହିପରି ବିଜେପି ମଧ୍ୟପ୍ରଦେଶ ପାଇଁ ୫୭ ଓ ଛତିଶଗଡ଼ ପାଇଁ ୬୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଛତିଶଗଡ଼ ପାଇଁ ଏହା ବିଜେପିର ଦ୍ୱିତୀୟ ଓ ମଧ୍ୟପ୍ରଦେଶ ପାଇଁ ତୃତୀୟ ତାଲିକା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟପ୍ରଦେଶର ବୁଦ୍ଧନୀରୁ ଟିକେଟ ମିଳିଥିବା ବେଳେ ଦତିଆରୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି।


























