ଲଘୁଚାପ ଯୋଗୁଁ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ
ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ନିୟମିତ ବ୍ୟବଧାନରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଆସନ୍ତା ୨୫ରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୁଏ। ଯଦି ଏବର୍ଷ ପୁଣି ଲଘୁଚାପ ହୁଏ ତେବେ ମୌସୁମୀ ଫେରିବା ଆହୁରି ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ସୂଚନା ଦେଇଛି।
ସେହିପରି ଭାରତୀୟ ପାଣିପାଗ ବିଭାଗ କହିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ସମଗ୍ର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବାରୁ ସେପ୍ଟେମ୍ବର ୨୬ରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।