ଚରିତ୍ରକୁ ନେଇ ସନ୍ଦେହ : ପତ୍ନୀର ଗଳା କାଟିଦେଲା ସ୍ୱାମୀ

କୋଲକାତା : ସୋସିଆଲ ମିଡିଆରେ ବ୍ୟସ୍ତରହି ଇନଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ କରିବା ଜଣେ ମହିଳାଙ୍କ ପାଇଁ କଳାହେଲା। ଏସବୁକୁ ନାପସନ୍ଦ କରୁଥିବାରୁ ପତ୍ନୀର ଗଳା କାଟିଦେଲେ ସ୍ୱାମୀ। ଏହି ଘଟଣା ପଶ୍ଚିମବଙ୍ଗ ହରିନାରାୟଣପୁରରେ ଘଟିଛି।
ଖବର ଅନୁଯାୟୀ ହରିନାରାୟଣପୁରରେ ବସବାସ କରନ୍ତି ପରିମଳ ବୈଦ୍ୟ ଓ ପତ୍ନୀ ଅପର୍ଣ୍ଣା। ସେମାନକର ଦୁଇଟି ପିଲା ଅଛନ୍ତି। କିନ୍ତୁ ସବୁବେଳେ ଅପର୍ଣ୍ଣା ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିଲେ। ରିଲ୍ସ ପୋଷ୍ଟ ଓ ଫଲୋର୍ସଙ୍କ ସହ ଚାଟିଂ କରୁଥିଲେ। ଏହାକୁ ପସନ୍ଦ କରୁନଥିଲେ ସ୍ଵାମୀ। ଏହାକୁ ନେଇ ପରିବାରରେ ଝଡ ଉଠିବା ସହିତ ଅପର୍ଣ୍ଣାଙ୍କ ଚରିତ୍ରକୁ ସନ୍ଦେହ କରିଥିଲେ ପରିମଳ। ଗତକାଲି ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବାରୁ ଅପର୍ଣ୍ଣାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପରିମଳ ହତ୍ୟା କରିଥିଲେ।
ପୋଲିସ କହିଛି ଇନଷ୍ଟାଗ୍ରାମରେ ଅପର୍ଣ୍ଣାଙ୍କର ଏକାଧିକ ଫଲୋର୍ସ ରହିଥିଲେ ହେଁ ଋଣ ପ୍ରଦାନକାରୀ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ସେ କଥା ହେଉଥିଲେ। ପରିମଳଙ୍କୁ ଏହା ଆଦୌ ଭଲ ଲାଗୁନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ଘଟଣା ଦିନ ପରିମଳ ପତ୍ନୀକୁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲେ। ପୁଅ ଟ୍ୟୁସନରୁ ଫେରି ମା’ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖି ପଡୋଶୀଙ୍କୁ ଡ଼ାକିଥିଲେ। ସେମାନେ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।