ଆତଙ୍କବାଦୀଙ୍କ ତାଲିକାରେ ୨୦୦ରୁ ଅଧିକ ବ୍ୟକ୍ତି

ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଆଇଏସଆଇ ସମର୍ଥିତ ଏକ ନୂଆ ଆତଙ୍କବାଦୀ ସଂସ୍ଥା ଆଗକୁ ବଡ଼ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଗୁଇନ୍ଦା ସୂଚନା ମିଳିଛି। ଏହି ହିଟ୍‌ ଲିଷ୍ଟରେ ରହିଛନ୍ତି ୨୦୦ରୁ ଅଧିକ ବ୍ୟକ୍ତି।

ଗୁଇନ୍ଦା ସୂଚନା ଅନୁଯାୟୀ ସୁରକ୍ଷା ସଂସ୍ଥା, ସେମାନଙ୍କୁ ଗୁପ୍ତ ସୂଚନା ଦେଉଥିବା ଲୋକ, ସରକାରଙ୍କ ସହ ଉତ୍ତମ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, କଶ୍ମୀର ଉପତ୍ୟକାରେ ଥିବା ଓ କାଶ୍ମୀର ବାହାରର ଲୋକ, କଶ୍ମୀର ପଣ୍ଡିତ, ସରକାରୀ ଦଳ ନେତା ଓ ଶିଳ୍ପପତି ଆଦି ରହିଛନ୍ତି। ହିଟ୍ ଲିଷ୍ଟରେ ଥିବା ୨୦୦ ଜଣ ଓ ସେମାନଙ୍କ ଗାଡ଼ି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରସ୍ତୁତ କରିଛି ଆତଙ୍କୀ ସଂଗଠନ।

ସୂଚନା ଅନୁସାରେ ପାକ୍ ଅଧିକୃତ ମୁଜାଫରାବାଦରେ ଗତ ସେପ୍ଟେମ୍ବରରେ ଆଇଏସଆଇ ନେତୃତ୍ୱରେ ଅନ୍ୟ ଆତଙ୍କୀ ସଂଗଠନ ମୁଖ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ବୈଠକରେ ନୂଆ ଆତଙ୍କୀ ସଂଗଠନ ଭବିଷ୍ୟତରେ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ଏହି ସଂଗଠନ କେବେଳ ଆକ୍ରମଣ ଯୋଜନା ନୁହେଁ, ଉପତ୍ୟକାରେ ଏହାର ନେଟ୍‌ଓ୍ୱର୍କିଂ ବଢାଇବାକୁ ଆର୍ଥିକ ସହାୟତା ଯୋଗାଡ଼ ଓ ମାନବ ସମ୍ବଳ ସଂଗ୍ରହ କରୁଥିବା ତଥ୍ୟ ମିଳିଛି। ଏହି କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଉରି ଓ ତଙ୍ଗଧାରରୁ ଏଲଓସି ମାଧ୍ୟମରେ ପିସ୍ତଲ ଏବଂ ଗ୍ରେନେଡ ଚୋରା ଚାଲାଣ କରାଯାଉଛି। ଗଠନ କରାଯାଇଥିବା ନୂଆ ଆତଙ୍କବାଦୀ ସଂଗଠନ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ବିଭ୍ରାନ୍ତ କରିବା ପାଇଁ ହତ୍ୟା ଓ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବ ବୋଲି ଗୁଇନ୍ଦା ସତର୍କ କରାଇଛି।

Leave a Reply

Your email address will not be published. Required fields are marked *

Back to top button