ଅଦାଲତ ଅବମାନନା ପାଇଁ ୫ ଆଇଏଏସ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୫ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅଦାଲତା ଅବମାନନା ଅପରାଧ‌ରେ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ‌ ଦେଇଛନ୍ତି।

ଗୁରୁବାର ଦିନ ନେଲୋର୍‌ ଜିଲ୍ଲାର ଭେଙ୍କଟଚଳମ୍‌ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା ନାମକ ଜଣେ ମହିଳା ଦାଏର କରିଥିବା ଅଦାଲତ ଅବମାନନା ପିଟିସନ୍‌ର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି। ରାଜସ୍ଵ ବିଭାର ତତ୍କାଳୀନ ସଚିବ ମନମୋହନ ସିଂହଙ୍କୁ ୪ ସପ୍ତାହ ଜେଲ୍‌ ଦଣ୍ଡ ସହ ୧୦୦୦ ଟଙ୍କା ଜରିମାନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଏସ୍‌ଏସ୍‌ ରାୱତ୍‌ଙ୍କୁ ଏକ ମାସ ଜେଲ୍‌ ଦଣ୍ଡ ଓ ୨୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦେଶ‌ ଥିବା ବେଳେ ଜରିମାନା ଅନାଦେୟ ପାଇଁ ଜେଲ୍‌ ଦଣ୍ଡାଦେଶ ଆଉ ସପ୍ତାହେ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ କହିଛନ୍ତି।

ସେହିପରି ନେଲୋର୍‌ ଜିଲ୍ଲାପାଳ ରେଭୁ ମୁତ୍ୟାଲା ରାଜୁଙ୍କୁ ଦୁଇ ସପ୍ତାହ ଜେଲ୍‌ ଓ ୧୦୦୦ ଟଙ୍କା ଜରିମାନା, ପୂର୍ବରୁ ନେଲୋର୍‌ ଜିଲ୍ଲାର ଜିଲ୍ଲାପାଳ ଥିବା କେଏନ୍‌ଭି ଚକ୍ରଧର ଓ ଏମ୍‌ଭି ଶେଷଗିରି ବାବୁଙ୍କ ଉପରେ ୨୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ନ ଦେଲେ ସେମାନେ ଗୋଟିଏ ସପ୍ତାହ ଜେଲ୍‌ଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ ସାବିତ୍ରମ୍ମା ୨୦୧୭ରେ ଦାଏର କରିଥିବା ପିଟିସନ୍‌ରେ ଦର୍ଶାଇଥିଲେ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲି ହ୍ୟାଣ୍ଡିକେପ୍‌ଡ୍‌ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ତାଙ୍କ ଜମି ଅଧିଗ୍ରହଣ କରିଥିଲେ। ପିଟିସନ୍‌କୁ ବିଚାର କରିବା ପରେ ଅଦାଲତ ୩ ମାସ ମଧ୍ୟରେ ତାଙ୍କୁ କ୍ଷତିପୂରଣ ସରକାର ଘୋଷଣା କରିଥିବା ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ଲାଗି ସରକାରଙ୍କୁ ଆଦେଶ ଦେଇଛନ୍ତି। କ୍ଷତିପୂରଣ ନ ମିଳିବାରୁ ସେ ୨୦୧୮ରେ ଅଦାଲତ ଅବମାନନା ପିଟିସନ୍ ଦାଏର କରିଥିଲେ। ଅଦାଲତ ପ୍ରତିବାଦୀମାନଙ୍କୁ ନୋଟିସ୍‌ ଜାରି କରିବା ପରେ ସେମାନେ ସତ୍ୟପାଠ ଦାଖଲ କରିଥିଲେ। ପ୍ରାୟ ୩ ବର୍ଷ ବିଳମ୍ବ ଅର୍ଥାତ୍‌ ୨୦୨୧ରେ ସମ୍ପୃକ୍ତ ମହିଳାଙ୍କୁ କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରାଯାଇଥିଲା। ୬୨ ବର୍ଷୀୟ ବିଧବା ମହିଳାଙ୍କୁ କ୍ଷତିପୂରଣ ମିଳିବାରେ ବିଳମ୍ବ ପାଇଁ ଅଦାଲତ୍ ଉପରୋକ୍ତ ୫ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଦାୟୀ କରିଥିଲେ। ଅଦାଲତ ଖର୍ଚ ବାବଦକୁ ମଧ୍ୟ ଆବେଦନକାରିଣୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସରକାରୀ ଅଧିକାରୀମାନଙ୍କ ଅନୁରୋଧକ୍ରମେ ବିଚାରପତି ଦେବାନନ୍ଦ ଦଣ୍ଡାଦେଶକୁ ୪ ସପ୍ତାହକୁ ହ୍ରାସ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button