ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା କଲା ତାଲିବାନ

କାବୁଲ : ଆଫଗାନିସ୍ତାନର ପଞ୍ଜଶିରକୁ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିଛି ତାଲିବାନ। ସେଠାରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ରହିଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ତାଲିବାନୀମାନେ ଯୋଜନା ଚଳାଇଛନ୍ତି। ଯେଉଁ ସ୍ଥାନରେ ଅମରୁଲ୍ଲା ସାଲେହ ରହିଥିଲେ ସେହି ସ୍ଥାନକୁ ଦଖଲ କରିଥିବା ବେଳେ ତାଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।

ଖବର ଅନୁଯାୟୀ ଗୁରୁବାର ରାତିରେ ରୋହୁଲ୍ଲା ପଞ୍ଜଶିରରୁ କାବୁଲ ଯାଉଥିବା ବେଳେ ତାଲିବାନୀମାନେ ତାଙ୍କୁ ଠାବ କରିଥିଲେ। ତାଙ୍କୁ ଧରିବା ପରେ ପରିଚୟ ଖୋଜା ଯାଇଥିଲା। ସେ ଅମରୁଲ୍ଲା ସାଲେହଙ୍କ ଭାଇ ଜଣାପଡ଼ିବାରୁ ପ୍ରଥମେ ପଶୁଙ୍କ ଭଳି ମାଡ଼ ମରାଯିବା ପରେ ଗୁଳି କରି ହତ୍ୟା କରାଯାଇଛି।

ସେହିପରି ଅମରୁଲ୍ଲା ସାଲେହ ପଞ୍ଜଶିରର ଯେଉଁ ଲାଇବ୍ରେରୀରୁ ସେ ସୁରକ୍ଷିତ ରହିଥିବା ବୋଲି ବିଶ୍ୱକୁ କହିଥିଲେ ସେହି ସ୍ଥାନରେ ଆଜି ବନ୍ଧୁକଧାରୀ ତାଲିବାନୀମାନେ ଛିଡ଼ା ହୋଇଥିବା ଭିଡିଓ ସାମ୍ନାକୁ ଆସିଛି। ତେଣୁ କୁହାଯାଉଛି ସାଲେହଙ୍କ ଠିକଣା ଏବେ ତାଲିବାନ ଦଖଲ କରି ନେଇଛି। ତେବେ ଏହି ଭିଡିଓର କେତେ ସତ୍ୟତା ରହିଛି ତାହା ଜଣାପଡ଼ିନି। କିନ୍ତୁ ପୁଣିଥରେ ପଞ୍ଜଶିରକୁ ସଂପୂର୍ଣ୍ଣ ଭାବେ ଦଖଲ କରି ନେଇଥିବା ତାଲିବାନ ଦାବି କରିଛି। ହେଲେ ରିପୋର୍ଟ ମୁତାବକ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଓ ତାଲିବାନୀଙ୍କ ମଧ୍ୟରେ ପଞ୍ଜଶିରର ବିଭିନ୍ନ ସ୍ଥାନରେ ଲଢ଼େଇ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button