ବିଜୁ ଜନତା ଦଳକୁ ଠିକ୍ ବାଟରେ ନେବାକୁ ଚାହୁଁଛନ୍ତି ସୌମ୍ୟ ବାବୁ : ଅପରାଜିତା

ଭୁବନେଶ୍ଵର : ଦୈନିକ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ସମ୍ପାଦକୀୟରେ ସୌମ୍ୟରଞ୍ଜନ ୫-ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗର ଅବତାରଣା କରିଛନ୍ତି।

ସମ୍ପାଦକୀୟ ଉପରେ ପ୍ରତିକ୍ରିୟା ଦେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ବରିଷ୍ଠ ବିଧାୟକ ଓ ଅଭିଜ୍ଞ ଲୋକ। ବହୁତ କିଛି ଜିନିଷ ସେ ଜାଣନ୍ତି। ଯେଉଁଟା ସେ କହୁଛନ୍ତି ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ଓ ବିଜୁ ଜନତା ଦଳର କର୍ତ୍ତବ୍ୟ ସେ ସବୁ କଥାକୁ ଗୁରୁତ୍ୱ ଦେବେ। ତା ଉପରେ ବିଚାର କରିବା ଦରକାର। ଲାଗୁଛି ସୌମ୍ୟ ବାବୁ ଠିକ ବାଟରେ ବିଜୁ ଜନତା ଦଳକୁ ନେବାକୁ ଚାହୁଁଛନ୍ତି। ସେ କହିଛନ୍ତି ସଚିବ ସ୍ତରର ଜଣେ ସରକାରୀ କର୍ମଚାରୀଙ୍କୁ ଏନଟାଇଟେଲମେଣ୍ଟ ଅନୁଯାୟୀ ସିକ୍ୟୁରିଟି ମିଳିବା କଥା। କିନ୍ତୁ ତାଙ୍କର ତ କିଛି ଏନଟାଇଟେଲମେଣ୍ଟ ନାହିଁ। ସେ ଆଜି ନ ହେଲେ କାଲି ପଲିଟିକ୍ସରେ ଯିବେ। ସେଥିପାଇଁ ସେ ସରକାରୀ ଟଙ୍କା ଖର୍ଚ୍ଚ କରାଇ, ସରକାରୀ କଳକୁ ବ୍ୟବହାର କରି ନିଜକୁ ଲଞ୍ଚ କରୁଛନ୍ତି। ସାଢ଼େ ଚାରି କୋଟି ଲୋକ ତାହା ବୁଝି ସାରିଲେଣି।

ସୂଚନାଯୋଗ୍ୟ ସୌମ୍ୟରଞ୍ଜନ ଲେଖିଛନ୍ତି ଫାଇଭ-ଟି ସଚିବ କେବଳ ନିଜ ଭାବମୂର୍ତ୍ତି ନିର୍ମାଣ ପାଇଁ ଜିଲ୍ଲାକୁ ଜିଲ୍ଲା ଗସ୍ତ କରୁଛନ୍ତି। ସେହି ସଭାଗୁଡ଼ିକରେ ସେ ଯାହା କହୁଛନ୍ତି ସେଥିରେ ରହିଛି ବିଲକ୍ଷଣ। ଏପରିକି ଉଚିତ ଅନୁଚିତ ଭୁଲି ଯାଉଛନ୍ତି। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଗୋଟିଏ ସଭାରେ ଫାଇଭ-ଟି ସଚିବ କହିଥିଲେ ବୋଲି ସୌମ୍ୟ ଲେଖିଛନ୍ତି। କିନ୍ତୁ ଏବେ ବିଭିନ୍ନ ଜିଲ୍ଲାକୁ ୫ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି। ଇସ୍ରୋ ଚନ୍ଦ୍ରୟାନ-୩ ମିଶନ ପାଇଁ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ ୫ଟି ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ ହେଉଥିବା ସେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟଶପାଲ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରିଥିଲେ। ତାଙ୍କ ସପକ୍ଷରେ ଶ୍ରୀ କାପୁର ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ପାଣ୍ଡିଆନଙ୍କ କେତେକ ଆଚରଣ ୟଶପାଲଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସୌମ୍ୟରଂଜନ ଉଲ୍ଲେଖ କରିଛନ୍ତି। ନିର୍ବାଚନ ପୂର୍ବରୁ ଏସବୁ ସଭା ରାଜନୈତିକ ଦଳମାନଙ୍କର ଏକ ସଭାପରି ମନେ ହେଉଛି। ଏସବୁ ସଭାରେ ଲୋକ ପ୍ରତିନିଧି ଓ ରାଜନେତାମାନଙ୍କ ସଂପୃକ୍ତି ଥିଲେ ମଧ୍ୟ ସେମାନେ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି। ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି। ଏହା ଭିନ୍ନ ଏକ ମାନସିକତାର ପରଚୟ ଦେଉଛି। ଅପରାଧୀ ନିଜର ଛାଇକୁ ଦେଖି ଡ଼ରିଲା ଭଳି ସେ ଅନ୍ୟ କାହାର ଉପସ୍ଥିତିକୁ ଆଦୌ ବରଦାସ୍ତ କରିପାରୁ ନାହାନ୍ତି ବୋଲି ସମ୍ପାଦକୀୟରେ ଲେଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button