କଟା ହୋଇଥିବା ଫସଲକୁ ସୁରକ୍ଷିତ ରଖିବାକୁ କୃଷି ସଚିବଙ୍କ ପରାମର୍ଶ

ଭୁବନେଶ୍ୱର : କୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାତ୍ୟା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନି। ଆମେ ସବୁବେଳେ ପ୍ରସ୍ତୁତ ଅଛୁ। ଯଦି କୌଣସି ସୂଚନା ଆସିବ ସେହି ହିସାବରେ ପ୍ରସ୍ତୁତି କରିବୁ।

ଖବର ଅନୁଯାୟୀ ସେ କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର କହିଛି ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଡିସେମ୍ବର ୫ ପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର କନ୍ଧମାଳ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ରହିଛି। ଆମେ ସବୁବେଳେ ପ୍ରସ୍ତୁତ ଥାଉ ଓ ଓୟୁଏଟିର ଗବେଷଣା ଟିମ୍ ଓ ଆମ ବିଭାଗ ମିଶି କାମ କରୁଛନ୍ତି। ସତର୍କ ସୂଚନା ପାଇବା ପରେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ଆଡଭାଇଜରି ଜାରି କରିଥାଉ ଓ କରିବୁ। ଅନେକ ସ୍ଥାନରେ ଧାନଫସଲ କଟା ସରିଛି ଓ ଆଉ କିଛି ଜାଗାରେ ଧାନକଟା ଚାଲିଛି। ଯେଉଁ ଜିଲ୍ଲା ପ୍ରଭାବିତ ହେବ ତାହା ପାଇଁ ଅଲଗା ଆଡଭାଇଜରି ଓ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ଫସଲ ଅନୁସାରେ ଆଡଭାଇଜରି କରାଯିବ। ତେବେ ଚାଷୀ ଭାଇଙ୍କୁ ପରାମର୍ଶ ଦେଉଛୁ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଆଳୁ ଫସଲ କରୁଥିବା ଚାଷୀଙ୍କୁ ପ୍ଲାଣ୍ଟିଂ ଟାଇମ୍ ବଦଳାଇବାକୁ ପରାମର୍ଶ ଦେଉଛୁ। ଏବେ ଭୟଭୀତ ହେବାର କାରଣ ନାହିଁ। ଏ ବର୍ଷ ଫସଲ ବୀମା ଯୋଜନାରେ ୨୨ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି। ଜିଲ୍ଲାରୁ ଆକଳନ ଆସିବା ପରେ ମରୁଡ଼ି ସ୍ଥିତି ନେଇ ପଦକ୍ଷେପ ନିଆଯିବ। ଯଦି କୌଣସି ସ୍ଥାନରେ ଚାଷୀଙ୍କ ଫସଲହାନୀ ହୋଇଥିବ ବୀମାଭୁକ୍ତ ଚାଷୀ କ୍ଷତିପୂରଣ ପାଇବେ।

Leave a Reply

Your email address will not be published. Required fields are marked *

Back to top button