ଜେଲରୁ ବାହାରିଲେ ଲେଡି ବ୍ଳାକମେଲର ଅର୍ଚ୍ଚନା ନାଗ

ଭୁବନେଶ୍ଵର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ଆଜି ସକାଳୁ ସେ ଜେଲରୁ ରିଲିଜ୍ ହେବା ପରେ ସ୍ୱାମୀ ଜଗବନ୍ଧୁ ତାଙ୍କୁ ଆଣିବାକୁ ଯାଇଥିଲେ।

ଖବର ଅନୁଯାୟୀ ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଛନ୍ତି ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବି। କୋର୍ଟଙ୍କ ଉପରେ ମୋର ଭରସା ଅଛି। ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବି। ସୂଚନାଯୋଗ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିଲା। ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପଥ ପରିଷ୍କାର ହୋଇଥିଲା।

ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୋଲିସ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨ ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବାରୁ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨ ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button