ବାହାଘର ଉପରୁ କଟକଣା ହଟିଲା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର କରୋନା ପାଇଁ ବାହାଘର ଓ ସର୍ବସାଧାରଣରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉପରେ ଲଗାଇଥିବା କଟକଣାକୁ ହଟାଇ ଦେଇଛନ୍ତି। ଏଣିକି ୧୦୦ରୁ ଅଧିକ ଲୋକ ବାହାଘରରେ ଯୋଗଦେଇ ପାରିବେ। କିନ୍ତୁ ସେମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ।
ଖବର ଅନୁଯାୟୀ ଉତ୍ତର ପ୍ରଦେଶ ସରକାରଙ୍କ ଅତିରିକ୍ତ ଗୃହ ସଚିବ ଅବିନାଶ ଅବସ୍ତୀଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଖୋଲା ସ୍ଥାନରେ ଅନୁଷ୍ଠିତ ହେଉଥିବା ସମସ୍ତ ବାହାଘର ଓ ଧାର୍ମିକ କାର୍ଯ୍ୟକ୍ରମରେ ଏଣିକି ୧୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ। କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନର ଆକାରକୁ ଦେଖି ଅତିଥିଙ୍କ ସଂଖ୍ୟା ଧାର୍ଯ୍ୟ କରାଯିବ। କୋଭିଡ ପ୍ରୋଟକଲ କଡ଼ାକଡ଼ି ପାଳନ ସହିତ କାର୍ଯ୍ୟକ୍ରମର ପ୍ରବେଶ ପଥରେ କୋଭିଡ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯିବ।
ଏହାବ୍ୟତୀତ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମକୁ ସରକାର ଅନୁମତି ଦେଇଥିବା ବେଳେ ଦୁର୍ଗାପୂଜା ଓ ରାମଲୀଲା ମୋର୍ଚ୍ଚା ପାଇଁ ପେଣ୍ଡାଲ ତିଆରି କରିବାକୁ ସବୁଜ ସଂକେତ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଯେପରି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ ତା’ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପାରମ୍ପରିକ ପଦ୍ଧତିରେ ମୂର୍ତ୍ତି ତିଆରି କରିବାକୁ କୁହାଯାଇଥିଲେ ହେଁ ଯଥା ସମ୍ଭବ ଛୋଟ ରଖିବାକୁ ପରାମର୍ଶ ଦିଆଯାଇଛି। ବିସର୍ଜନ ସମୟରେ ଛୋଟ ଗାଡ଼ିର ବ୍ୟବହାର ଓ ଅଳ୍ପ ସଂଖ୍ୟକ ଲୋକ ଶୋଭାଯାତ୍ରାରେ ସାମିଲ ହେବେ ବୋଲି ରହିଛି ନିର୍ଦ୍ଦେଶ।


























