ନିଶା ମାଫିଆ ଗିରଫ : ୩୩୮ ଗ୍ରାମ ବ୍ରାଉନସୁଗର ଜବତ

ଜଳେଶ୍ଵର : ଶାସନବାଡ ଗ୍ରାମର କୁଖ୍ୟାତ ନିଶା ମାଫିଆ ସେକ ଆଶିରୁଦ୍ଦିନ ଓରଫ ପୁସୁକୁ ଜଳେଶ୍ଵର ପୋଲିସ ଗିରଫ କରିଛି। ଏଥିସହ ୩୩୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଖବର ଅନୁଯାୟୀ ଜଳେଶ୍ଵର ଥାନା ପରିସରରେ ଏସଡିପିଓ ଦିଲ୍ଲୀପ କୁମାର ସାହୁ ଓ ଆଇଆଇସି ରଞ୍ଜନ କୁମାର ସେଠୀ ଦେଇଥିବା ସୂଚନା ହେଲା ପୁସୁ ନାଁରେ ପୂର୍ବରୁ ଜଳେଶ୍ଵର ଓ କମର୍ଦ୍ଦା ଥାନାରେ ୬ଟି ବ୍ରାଉନସୁଗର ମାମଲା ରହିଛି। ପୁସୁ ଅନ୍ୟ ଜଣେ ନିଶା ବେପାରୀକୁ ବ୍ରାଉନସୁଗର ବିକ୍ରି କରିବାକୁ ପ୍ରସ୍ତୁତ ହେଉଥିବା ଜଳେଶ୍ଵର ପୋଲିସକୁ ଖବର ମିଳିଥିଲା। ସେଥିପାଇଁ ଗତକାଲି ସନ୍ଧ୍ୟାରେ ଜଳେଶ୍ଵର ଆଇଆଇସିଙ୍କ ନେତୃତ୍ଵରେ ଏକ ୧୨ ଜଣିଆ ଟିମ୍ ଶାସନବାଡ ଗ୍ରାମରେ ଚଢ଼ଉ କରି ବ୍ରାଉନସୁଗର ଜବତ ସହିତ ପୁସୁକୁ ଗିରଫ କରିଥିଲା। ଗିରଫ ସମୟରେ ନଗଦ ୧୧,୭୦୦ ଟଙ୍କା, ୩ଟି ମୋବାଇଲ, ୫ଟି ବ୍ୟାଙ୍କ ଜମାଖାତା, ୪ଟି ଏଟିଏମ୍ ତଥା ଅନ୍ୟ କାଗଜପତ୍ର ଜବତ କରାଯାଇଛି।