ଶକ୍ତିମନ୍ତ୍ରୀ ଦକ୍ଷ ନା ଅପାରଗ ?

ଭୁବନେଶ୍ଵର : ରାଜ୍ୟରେ ବିକାଶର ଧାରା ବହୁଛି। ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡେ ଦେଖିବାକୁ ମିଳୁଛି ବିକାଶର ଛାପ। ଏଇ କଥାକୁ ନେତା ଓ ତାଙ୍କ ଚାଟୁକାରମାନେ ଜୋରଦାର ପ୍ରଚାର କରୁଛନ୍ତି। କିନ୍ତୁ ବର୍ତ୍ତମାନର ବିଦ୍ୟୁତ ସେବା ଦେଉଛି ଭିନ୍ନ ସନ୍ଦେଶ। ବାସ୍ତବ ସ୍ଥିତି ଲୋକଲୋଚନାକୁ ଆସିଛି। ବିଦ୍ୟୁତ ଭିତ୍ତିଭୂମିର ବିକାଶ ପାଇଁ ଗତ ୧୦ବର୍ଷ ମଧ୍ୟରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଆଖିଦୃଶିଆ ବିକାଶ ହୋଇନି। ଏହା ପ୍ରମାଣିତ କରୁଛି ଅଘୋଷିତ ବିଦ୍ୟୁତ କାଟ। କେବଳ ସେତିକି ନୁହେଁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ସ୍ଵୀକାର କରିଛନ୍ତି ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ। ଯାହା ରାଜ୍ୟ ସରକାରଙ୍କ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏବେ ପ୍ରଶ୍ନ ଉଠିଲାଣି କୋଟି କୋଟି ଟଙ୍କା ଗଲା କୁଆଡେ ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟ ମନ୍ତ୍ରୀମାନଙ୍କ ବିଭାଗ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ରିପୋର୍ଟକାର୍ଡ ପରୀକ୍ଷାରେ ରୋହିତ ପୂଜାରୀଙ୍କୁ ଛାଡିଦେଲେ ଅନ୍ୟ ମନ୍ତ୍ରୀମାନେ ପାସ କରିଛନ୍ତି। ଯଦି ବର୍ତ୍ତମାନର ବିଦ୍ୟୁତ ସମସ୍ୟା କଥା ବିଚାରକୁ ନିଆଯାଏ ତା’ହେଲେ ଶକ୍ତିମନ୍ତ୍ରୀ ଫେଲହେବା କଥା। କିନ୍ତୁ ତାଙ୍କ ବିଭାଗ ପରିଚାଳନା ସଠିକ ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କଲେ କେମିତି ? ଯେଉଁ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି ରାଜ୍ୟର ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ। ତାଙ୍କୁ କେଉଁ ମାପଦଣ୍ଡରେ ଦକ୍ଷ ବୋଲି ବିବେଚନା କରାଗଲା ? ଏବେ ସାଧାରଣରେ ଆଲୋଚନା ହେଉଛି ଦକ୍ଷତା ମାପିବା ପାଇଁ କିଛି ଭିନ୍ନ ଉପାୟ ଅଛିକି ?

ଅନ୍ୟପକ୍ଷରେ ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ କହୁଛି ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ବିଗତ ୩୦ ବର୍ଷ ମଧ୍ୟରେ ୩୭ ହଜାର କୋଟି ଓ ଗତ ୧୦ ବର୍ଷରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୧୩ ହଜାର କୋଟି ରାଜ୍ୟ ଦେଇଥିବା ବେଳେ ୭ ହଜାର କୋଟି କେନ୍ଦ୍ରରୁ ଆସିଛି। ଏହି ବିପୁଳ ଅର୍ଥକୁ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ଖୁଣ୍ଟ ଲଗାଇବା, ସମସ୍ତ ପୁରୁଣା ଟ୍ରାନ୍ସଫର୍ମର ବଦଳାଇବା, ପୁରୁଣା ତାର ବଦଳାଇବା ସହିତ ଭୂତଳ କେବଲିଂ ବାବଦରେ ଖର୍ଚ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ହେଲେ ଦୁର୍ବଳ ବିଦ୍ୟୁତ ସେବା ରାଜ୍ୟବାସୀଙ୍କୁ ଅବଗତ କରିସାରିଲାଣି ସରକାରଙ୍କ ଯୋଜନା କେମିତି ଚାଲିଛି।

କେବଳ ସେତିକି ନୁହେଁ ଟାଟା ପାୱାର ଦାୟିତ୍ୱ ନେବା ପରେ ଏହି କମ୍ପାନୀକୁ ପର୍ଯ୍ୟାୟ କ୍ରମେ ୫ ହଜାର କୋଟି ଟଙ୍କା ଦିଆଯାଇଛି। ତେବେ ପୂର୍ବରୁ ଦିଆଯାଇଥିବା ୧୫ ହଜାର କୋଟିରେ କ’ଣ ହୋଇଛି ଭିତ୍ତିଭୂମି ବିକାଶ ? ଜନସାଧାରଣ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଯେଉଁ ଦୁର୍ଦଶା ଭୋଗ କରୁଛନ୍ତି ଆଗାମୀ ଦିନରେ ସମସ୍ତ ଖର୍ଚ୍ଚର ହିସାବ ମାଗିବେ। ତେଣୁ ରାଜ୍ୟ ସରକାର ସଚେତନ ହେବା ଉଚିତ।

Leave a Reply

Your email address will not be published. Required fields are marked *

Back to top button