ବାତ୍ୟା ‘ଗୁଲାବ’ର ଉପକୂଳ ଅତିକ୍ରମ : ୬ ଘଣ୍ଟାରେ ଦୁର୍ବଳ ହେବ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଗୁଲାବ’ ଆଜି ରାତିରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପାଟ୍ଟନମ ଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡାଠାରେ ଲ୍ୟାଣ୍ଡଫଲ କରିଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା।

ରବିବାର ଶ୍ରୀ ଜେନା କହିଛନ୍ତି ରାତି ସାଢେ ୭ଟାରୁ ସାଢେ ୮ଟା ଭିତରେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୪ କିଲୋମିଟର ଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ଶ୍ରୀକାକୁଲମଠାରେ ୭୦ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ପଶ୍ଚିମ ଦିଗରେ ଏହା ଗତି କରୁଛି। ଆସନ୍ତା ୬ ଘଣ୍ଟା ପରେ ଏହା ଗଭୀର ଅବପାତରେ ପରିଣତ ହେବ। ସେ କହିଲେ ବାତ୍ୟା ‘ଗୁଲାବ’ର ଉତ୍ତର ଆନ୍ଧ୍ର ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ଯିବ ଓ ପ୍ରକ୍ରିୟା ଦୁର୍ବଳ ହେବା ଆରମ୍ଭ ହେଲାଣି। ଗଜପତି, ଗଞ୍ଜାମ କିମ୍ବା ରାୟଗଡାରେ ସେଭଳି ପବନ ହୋଇନାହିଁ। ବାତ୍ୟା ପ୍ରଭାବରେ ବିଳମ୍ବିତ ରାତିରେ କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷା ପରିମାଣ ବଢିବ। ଓଡିଶାକୁ ପ୍ରବେଶ ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ।

ସେ କହିଲେ ଭୂସ୍ଖଳନ ଆଶଙ୍କାରେ ସୋରଡ଼ା-ଦାରିଙ୍ଗବାଡି ରାସ୍ତାକୁ ବନ୍ଦ ରଖାଯାଇଥିବା ବେଳେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ବାତ୍ୟା ଛତିଶଗଡ଼ ଚାଲିଯାଇଥିବ। କିନ୍ତୁ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ। ଏହା ରାତିର ବର୍ଷା ପରିମାଣ ଉପରେ ନିର୍ଭର କରୁଛି। ତେବେ ବନ୍ୟା ଆଶଙ୍କା ଥିବାରୁ ଗଜପତି, ରାୟଗଡା ଓ କୋରାପୁଟର ଅଧିକାରୀମାନଙ୍କୁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button