ଡାକ୍ତରଙ୍କୁ ଅପହରଣ କରି ୨୫ ଲକ୍ଷ ମାଗିଥିବା ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଚିକିତ୍ସା ନାଁରେ ଘରକୁ ଡାକି ଡାକ୍ତରଙ୍କୁ ଅପହରଣ। ଘଟଣାଟି ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବେଳେ କମିଶନରେଟ ପୋଲିସ୍ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି, ତାଙ୍କ ପତ୍ନୀ ଇରାନୀ ପାତ୍ର, ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା। ସେମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ଛୁରୀ, ଦୁଇଟି ମୋବାଇଲ ଫୋନ୍ ଓ ୯ ଲକ୍ଷ ଟଙ୍କାର ଏକ ଚେକ୍ ଜବତ କରାଯାଇଛି।
ଖବର ଅନୁଯାୟୀ ଗତ ୮ ତାରିଖ ଦିନ ରାତିରେ ଇରାନୀ ପାତ୍ର ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ବୋଲି ଫୋନ୍ କରି ଡାକ୍ତରଙ୍କୁ ତମାଣ୍ଡୋର ସିଟି ହୋମ୍ସ ଅଞ୍ଚଳର ଭଡ଼ା ଘରକୁ ଡାକିଥିଲେ। ଡାକ୍ତର ଓ ଇରାନୀ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଏକ ହସ୍ପିଟାଲରେ ଇରାନୀ ଚିକିତ୍ସିତ ହେଉଥିବା ବେଳେ ସେଠାରେ ଏହି ଡାକ୍ତର ନିଯୁକ୍ତ ହୋଇଥିଲେ। ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ଇରାନୀଙ୍କ ଘରେ ପ୍ରବେଶ କରିବା ମାତ୍ରେ ନିଶିକାନ୍ତ ପାତ୍ର ଓ ଅନ୍ୟ ଦୁଇଜଣ ଅଭିଯୁକ୍ତ ତାଙ୍କୁ ଗୋଟିଏ ରୁମ୍ରେ ବନ୍ଦୀ କରି ଦେଇଥିଲେ। ଡାକ୍ତରଙ୍କୁ ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ପିଟାମରା କରି କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।
କେବଳ ସେତିକି ନୁହେଁ ସେମାନେ ଡାକ୍ତରଙ୍କୁ ଧମକ ଦେଇଥିଲେ ଟଙ୍କା ନଦେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ କେସ୍ ଦେବେ। ଏହାପରେ ଡାକ୍ତର ୧୦ ଲକ୍ଷ ଟଙ୍କା ଦେବାକୁ ରାଜିହୋଇ ଫୋନ୍ ପେ’ର ପାସ୍ ୱାର୍ଡ କହିଥିଲେ। ପରେ ଅଭିଯୁକ୍ତମାନେ ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ପରେ ଇରାନୀ ପାତ୍ର ଓ ନିଶିକାନ୍ତ ପାତ୍ର ଡାକ୍ତରଙ୍କୁ ଧରି ଇନଫୋସିଟି ଥାନା ଅନ୍ତର୍ଗତ ତାଙ୍କ ଘରକୁ ଆସି ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। କାର୍ ଚାବି, ସୁନାର ବ୍ରେସ୍ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇ ଘଟଣା ସଂପର୍କରେ ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲା ଏହି ଅଭିଯୁକ୍ତମାନେ ଆଉ ଦୁଇଜଣ ବ୍ୟକ୍ତିଙ୍କ ସହିତ ଏମିତି କାଣ୍ଡ କରିଥିଲେ। ସେହି ବ୍ୟକ୍ତିମାନେ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରି ନଥିଲେ।