ନୀତୀଶ ସରକାରରୁ ଜିତନ ରାମ ମାଝୀଙ୍କ ସମର୍ଥନ ପ୍ରତ୍ୟାହାର

ପାଟନା : ବିହାର ନୀତୀଶ କୁମାର ସରକାରରୁ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ମୁଖ୍ୟ ଜିତନ ରାମ ମାଝୀ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଆଜି ସଂଧ୍ୟାରେ ସେ ବିହାର ରାଜ୍ୟପାଳଙ୍କୁ ଭେଟି ସମର୍ଥନ ପ୍ରତ୍ୟାହାର ପତ୍ର ପ୍ରଦାନ କରିଥିବା ବେଳେ ଏନଡିଏରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ସୋମବାର ଜିତନ ରାମ ମାଝୀ ରାଜଭବନ ବାହାରେ ଗଣମାଧ୍ୟମକୁ କହିଛନ୍ତି ଶାସକ ମହାମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିବା ଆମର କର୍ତ୍ତବ୍ୟ ଥିଲା। ଆମେ ରାଜ୍ୟପାଳଙ୍କୁ ଭେଟି ସମର୍ଥନ ପ୍ରତ୍ୟାହାର ପାଇଁ ଏକ ପତ୍ର ପ୍ରଦାନ କରିଛୁ। ମୁଁ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯାଉଛି। ସେଠାରେ ବିଜେପିର ଶୀର୍ଷ ନେତା, ମାୟାବତୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦଳର ରାଷ୍ଟ୍ରୀୟ ମୁଖ୍ୟ ମୁଖପାତ୍ର ଶ୍ୟାମ ସୁନ୍ଦର ଶରଣ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜିତନ ରାମ ମାଝୀଙ୍କୁ ଗୁପ୍ତଚର କହିଥିବାରୁ ଆମେ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବୁ। ନୀତୀଶ କ୍ଷମା ମାଗନ୍ତୁ ନଚେତ୍ ତାଙ୍କୁ ମାନହାନିର ସମ୍ମୁଖୀନ ହେବାକୁ ପଡ଼ିବ। ବୋଲି ସେ କହିଛନ୍ତି। ସେହିପରି ମାଝୀଙ୍କ ପୁଅ ସନ୍ତୋଷ ସୁମନ କହିଛନ୍ତି ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ମିଶ୍ରଣ ପାଇଁ ତାଙ୍କ ଦଳ ଉପରେ ଚାପ ପକାଉଥିଲା। ବିହାର ବିଧାନସଭାରେ ଦଳର ୪ ଜଣ ବିଧାୟକ ଅଛନ୍ତି। ଏହି ସମର୍ଥନ ପ୍ରତ୍ୟାହାର ସତ୍ତ୍ୱେ ନୀତୀଶ ସରକାର ପ୍ରତି କୌଣସି ବିପଦ ନାହିଁ।

Leave a Reply

Your email address will not be published. Required fields are marked *

Back to top button