ସାଲେପୁର ଓ ରାଜନଗର ବିଜେଡିରେ ଫାଟ ପଦାକୁ ଆସିଲା

ଭୁବନେଶ୍ଵର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପ୍ରସ୍ତୁତ ବୋଲି ନେତାମାନେ କହୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଦଳୀୟ ସଙ୍ଗଠନରେ ସୃଷ୍ଟି ହୋଇଥିବା ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାୟ ସବୁ ଜିଲ୍ଲାରେ ଏପରି ସ୍ଥିତି। କାର୍ଯ୍ୟାନୁଷ୍ଠାନକୁ କାହାରି ଭୟ ଥିବାପରି ମନେ ହେଉନାହିଁ। ରାଜନଗର ଓ ସାଲେପୁର ଏହାର ଏକ ସଦ୍ୟ ଉଦାହରଣ। ଯେଉଁଠାରେ ସମାନ୍ତରଳ ଦଳୀୟ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ବିଧାୟକ ଧୃବ ସାହୁ ଜନ ସଂର୍ପକ ପଦଯାତ୍ରା ରାଜନଗର ବ୍ଳକ ଛକ ନିକଟରେ କରୁଥିବା ବେଳେ ଜିଲ୍ଲା ପରିଷଦ ଉପାଧକ୍ଷ ଅଶୋକ ପଢିହାରୀଙ୍କ ସମର୍ଥକ ଜରିମୂଳ ମାଟିଆ ମଙ୍ଗଳାଠାରେ କରିଥିଲେ ସଫେଇ କାର୍ଯ୍ୟକ୍ରମ। ଯାହା ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ପଢିହାରୀଙ୍କ ସମର୍ଥକମାନଙ୍କ କହିବା କଥା ସେମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଫେଇ କାର୍ଯ୍ୟ କରୁଥିଲେ।

ସେହିପରି ସାଲେପୁର ବିଜେଡି ପଦଯାତ୍ରା ବେଳେ ଦୁଇଗୋଷ୍ଠୀ ଠେଲାପେଲା ହୋଇଥିବା ଜଣାପଡିଛି। ସ୍ଥାନୀୟ ବିଜେଡି ନେତା ହିମାଂଶୁ ମହାନ୍ତି ଆଜି ସମର୍ଥକଙ୍କ ସହ ସାଲେପୁରର ସାହେଶ୍ୱରୀ ମନ୍ଦିର ନିକଟରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଲଗା ବ୍ୟାନର ଧରି ପଦଯାତ୍ରାରେ ଆସୁଥିଲେ। ଏହି ସମୟରେ ସାଲେପୁର ବଜାର କଲେଜ ଛକଠାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମର୍ଥକ ସହ ସେମାନଙ୍କର ପେଲାଠେଲା ହୋଇଥିଲା। ହିମାଂଶୁ କହିଛନ୍ତି ତାଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ ବିଧାୟକଙ୍କ ସମର୍ଥକ ବିରୋଧ କରି ପେଲାଠେଲା କରିଥିଲେ। ହେଲେ ବ୍ଲକ ଯୁବ ବିଜେଡି ସଭାପତି କହିଛନ୍ତି କିଛି ଗଣ୍ଡଗୋଳ ହୋଇନାହିଁ। ତେବେ ଆଗକୁ କଣ ହେବ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

Back to top button