ପାକିସ୍ତାନକୁ କଡା ସମାଲୋଚନା କରି ଚର୍ଚ୍ଚାରେ ସ୍ନେହା ଦୁବେ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ବେଆଇନ ଭାବେ କଶ୍ମୀରରେ ନିଜ ହକୁମାତି ଚଳାଉଛି ଓ ଲୋକଙ୍କ ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରିଥିଲେ। ରାଇଟ୍ ଟୁ ରିପ୍ଲାଏ ଜରିଆରେ ଏହାର ଜବାବ ଦେଇଥିଲେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ। ସେ କହିଛନ୍ତି ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି। ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ପାକିସ୍ତାନର ନେତୃତ୍ୱ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ଵିତ କରୁଛି।

ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପ୍ରସାରିତ ହୋଇଥିଲା। ନୂଆଦିଲ୍ଲୀ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ କହିବାରୁ ସ୍ନେହା ନିଜ ବକ୍ତବ୍ୟରେ ଇମ୍ରାନ ସରକାରଙ୍କ ଅସଲ ମୁଖା ଖୋଲିଦେଇଛନ୍ତି। ସ୍ନେହାଙ୍କ ଏଭଳି ଜବାବ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିବା ବେଳେ ତାଙ୍କ ଭାଷଣ ଓ ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଶେୟାର କରିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ ସ୍ନେହା ଦୁବେ ୨୦୧୨ ବ୍ୟାଚର ଆଇଏଫଏସ୍ (ଭାରତୀୟ ବୈଦେଶିକ ସେବା) ଅଧିକାରୀ। ଗୋଆରୁ ପାଠପଢି ଆରମ୍ଭ କରି ପୁଣେର ଫର୍ଗୁସନ୍ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜରୁ କରିଥିଲେ ଏମଫିଲ୍କ। ସେତେବେଳେ ତାଙ୍କୁ ହୋଇଥିଲା ୧୨ ବର୍ଷ। ସେ ଭାରତୀୟ ବୈଦେଶିକ ସେବାରେ ଯୋଗଦେବାକୁ ଚାହୁଁଥିଲେ। ୨୦୧୧ ମସିହାରେ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ବାପା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ମା’ ଜଣେ ସ୍କୁଲ ଶିକ୍ଷକ। ବୈଦେଶିକ ସେବା ପାଇଁ ମନୋନୀତ ହେବା ପରେ ସ୍ନେହାଙ୍କର ପ୍ରଥମ ନିଯୁକ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ହୋଇଥିଲା। ଅଗଷ୍ଟ ୨୦୧୪ରେ ତାଙ୍କୁ ମାଡ୍ରିଡରେ ଥିବା ଭାରତୀୟ ଦୂତାବାସକୁ ପଠାଯାଇଥିଲା। ବର୍ତ୍ତମାନ ମିଳିତ ଜାତିସଂଘର ଭାରତର ପ୍ରଥମ ସଚିବ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button