ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ

ଭୁବନେଶ୍ଵର : ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିଜେପି ଦାବି କରିଛି।
ଖବର ଅନୁଯାୟୀ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ପ୍ରତାପ ଜେନାଙ୍କ ସହଯୋଗୀ ଥିଲେ। ସେ ପୋଲିସକୁ ଲଗାଇ ପୂରା ଘଟଣାକୁ ଚାପି ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ। ଗତକାଲି ଶରତ ନାୟକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। କିନ୍ତୁ ଯେଉଁ ପୋଲିସ ଅଧିକାରୀମାନେ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିଲେ ଓ ଛାତ୍ରୀର ମୃତଦେହକୁ ଶବ ବ୍ୟବଚ୍ଛେଦ କଲେ ନାହିଁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେଣୁ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରତାପ ଜେନାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଊ ବୋଲି ବିଜେପି ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା କହିଛନ୍ତି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସବୁ ଦିଗକୁ ନେଇ ତଦନ୍ତ ହେବ। ସେ କହିଛନ୍ତି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ। କୌଣସି ଦିଗ ଛଡ଼ାଯିବନି। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ତଦନ୍ତ ପରେ ଯାହା ରେଜଲ୍ଟ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ। ଦୁଇମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏକ ଅଡିଓ ଓ ଚିଠି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।