ଓଡ଼ିଶାରେ ଜନପ୍ରତିନିଧିଙ୍କର କୌଣସି ଗୁରୁତ୍ଵ ରହୁ ନାହିଁ : ଲେଖାଶ୍ରୀ

ଭୁବନେଶ୍ଵର : ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଉଟ୍ ସୋର୍ସିଂ କରି ନିଜ ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼େ ବୁଲାଇବାର ପ୍ରହସନ ଚଳାଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଗଣତନ୍ତ୍ରକୁ ବିଜେଡ଼ି ଗୁରୁତ୍ଵ ଦେଉନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର।

ଖବର ଅନୁଯାୟୀ ଶ୍ରୀମତୀ ସାମନ୍ତସିଂହାର ଗଣମାଧ୍ୟମକୁ କହିଛନ୍ତି ୫-ଟି ସଚିବ ସିଧାସଳଖ ଜଣେ ବିଧାୟକଙ୍କ ବିରୋଧରେ କହିବା ସ୍ପଷ୍ଟ କରୁଛି ରାଜନୈତିକ ଉଦ୍ଦେଶ୍ୟ ରଖି ସେ ସବୁ କରୁଛନ୍ତି। ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି କିଛି କରିବାର ଅଛି ତେବେ ସରକାରୀ ଚାକିରିରୁ ଇସ୍ତଫା ଦେଇ ମଇଦାନ ଉପରକୁ ଆସନ୍ତୁ। ସେ କହିଲେ ରାଜନୀତି କରିବାରେ କାହାରିକୁ ମନା ନାହିଁ। ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତେ ନିର୍ବାଚନ ଲଢ଼ି ପାରିବେ। କିନ୍ତୁ ସମସ୍ତଙ୍କ ଭୂମିକା ସ୍ପଷ୍ଟ ଭାବେ ବଣ୍ଟା ଯାଇଛି। ହେଲେ ଏମିତି ମନ ଇଚ୍ଛା କଲେ ଏହାକୁ ଅରାଜକତା କୁହାଯାଏ। ତେଣୁ ଓଡ଼ିଶାରେ ସଂପୂର୍ଣ୍ଣ ଭାବେ ଅରାଜକତା ଓ ସାମ୍ବିଧାନିକ ବିଫଳତା ସୃଷ୍ଟି ହୋଇଛି।

ଶ୍ରୀମତୀ ସାମନ୍ତସିଂହାର କହିଲେ ୫-ଟି ସଚିବ ଜଣେ ଅଣଓଡ଼ିଆ ଅଫିସର। ତେଣୁ ତାଙ୍କୁ ଲାଗୁଛି ଏଠି ଏଠି ଓଡ଼ିଆଙ୍କୁ ନେଇ କାମ କଲେ ଓଡ଼ିଆଙ୍କ ଭିତରୁ ନେତୃତ୍ଵ ବାହାରିବ, ଯାହାଙ୍କୁ ସିଏ କଣ୍ଟ୍ରୋଲ କରି ପାରୁ ନାହାନ୍ତି। ତେଣୁ ଓଡିଆ ଲୋକଙ୍କୁ ବାହାରକୁ ପଠାଇ କିଛି ଅଣଓଡ଼ିଆ ଲୋକଙ୍କୁ ହାତରେ ରଖିଛନ୍ତି। ଓଡ଼ିଶାର ଡ଼ିଜି ଅଫିସରେ ଜଣେ ହେଲେ ଓଡ଼ିଆ ଆଇପିଏସ ଅଫିସର ନାହାନ୍ତି। ସବୁ ଅଣ ଓଡ଼ିଆ ଅଫିସର ଅଛନ୍ତି। ଓଡ଼ିଶାର ସବୁ ବରିଷ୍ଠ ଆଇଏଏସ ଓ ଆଇପିଏସ ଅଫିସର ଡେପୁଟେସନରେ ଅଛନ୍ତି। ଅଣଓଡ଼ିଆ ଅଫିସରଙ୍କର ଏଠି ରାଜ ଚାଲିଛି। ଏଠି ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କ ରାଜ କରୁଛନ୍ତି। ଏଠି ଯଦି ଓଡ଼ିଆଙ୍କ ଉପରେ ଅଣଓଡ଼ିଆ ଶାସନ କରିବେ ତା’ହେଲେ ଏ ଗଣତନ୍ତ୍ର ନୁହେଁ। ପୁଣି ଆମେ ରାଜତନ୍ତ୍ର ସମୟକୁ ପଳେଇବା, ଯାହା କେବେ ଗ୍ରହଣୀୟ ନୁହେଁ।

Leave a Reply

Your email address will not be published. Required fields are marked *

Back to top button