ବିଦ୍ୟୁତ କାଟ୍ ବିରୋଧରେ ବୁଧବାର ବିଜେପିର ବିକ୍ଷୋଭ

ଭୁବନେଶ୍ଵର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ସହରାଂଚଳ ଓ ଗ୍ରାମାଂଚଳରେ ବିଦ୍ୟୁତ କାଟ ଜାରି ରହିଛି। ଏହାର ପ୍ରତିବାଦରେ ଆସନ୍ତାକାଲିଠାରୁ ଦୁଇଦିନ ବିଜେପି ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ।
ମଙ୍ଗଳବାର ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ ଓ ଧୂଳିଝଡ଼ରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି। ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ବିଦ୍ୟୁତ କାଟ୍ ପ୍ରତିବାଦରେ ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ସ୍ୱର ଉତ୍ତୋଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଓ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି। ତେଣୁ ଶକ୍ତି ବିଭାଗର ବିଫଳତା ଓ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।