ନଭେମ୍ବର ୧୪ ରୁ ୧୮ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ଆସନ୍ତା କାଲି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା।
ଖବର ଅନୁଯାୟୀ ସୋମବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଆବାସ, ମନରେଗା, ପାଇଖାନା, ପାନୀୟ ଜଳ, ରାସନ, ଭତ୍ତା ପାଇଁ ରାଜ୍ୟର ଗରୀବଲୋକଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ବିଜେଡିର ନେତା, ମନ୍ତ୍ରୀ ଓ କୁଜିନେତା ମିଳିମିଶି ଖାଇଯାଉଛନ୍ତି। ମୋଦି ସରକାର ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ଗ୍ରାମାଂଚଳର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ସିଧାସଳଖ ପ୍ରଚୁର ମାତ୍ରାରେ ଟଙ୍କା ପଠାଇଛନ୍ତି। ରାଜ୍ୟ ସରକାର ଚଂଚକତା କରି ଏହି ଟଙ୍କାକୁ ହଡପ୍ କରିଛନ୍ତି। ଏହାଛଡା ଆମ ଗାଁ ଆମ ବିକାଶ ଓ ଆମ ଓଡିଶା, ନବୀନ ଓଡିଶା ଯୋଜନା ନାଁରେ ହଜାର ହଜାର କୋଟି ଟଙ୍କା ହଡପ୍ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ୫୦ ପ୍ରତିଶତ ପିସି ସଂଗ୍ରହ କେନ୍ଦ୍ର ପାଲଟିଛି। ତେଣୁ ଦୁର୍ନୀତି ବିରୋଧରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ମୁଖପାତ୍ର ତେଜେଶ୍ୱର ପରିଡା ଉପସ୍ଥିତ ଥିଲେ।