ବିଧାନସଭାରେ ଡାଲି ଫିଙ୍ଗି ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ନିଲମ୍ବିତ

ଭୁବନେଶ୍ଵର : ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିବା ଘଟଣାରେ ବିଜେପିର ଦୁଇ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋନହ ଚରଣ ମାଝୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ।

ଖବର ଅନୁଯାୟୀ ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୃହକାର୍ଯ୍ୟ ଚାଲିଥିବା ବେଳେ ବିଜେପି ବିଧାୟକମାନେ ପ୍ରଥମେ ହୋହାଲ୍ଲା କରିଥିଲେ। ଏହା ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇବା ସହିତ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ। ଏଭଳି ଆଚରଣ ପାଇଁ ବିଧାୟକ ମୋନହ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ ଚଳିତ ବିଧାନସଭା ଶେଷ ପର୍ଯ୍ୟନ୍ତ ନିଲମ୍ବିତ ହୋଇଛନ୍ତି।

ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଉଭୟଙ୍କର ଆଚରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି। ସମ୍ବିଧାନ ବିଧି ଅନୁସାରେ, ଗୃହର ମତ ନେଇ ନିଲମ୍ବନ କରାଯାଇଛି। ଅପରପକ୍ଷେ ବିଧାୟକ ଶ୍ରୀ ମାଝୀ କହିଛନ୍ତି ବିନା ଦୋଷରେ ନିଲମ୍ବନ କରାଯାଇଛି। ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନାହିଁ। ସେ ଡାଲି ଭଲପାଉଥିବାରୁ ଆମ ବିଧାୟକମାନେ ଉପହାର ଦେବାକୁ ଆଣିଥିଲେ। ଏ ନିଷ୍ପତ୍ତି ନିନ୍ଦନୀୟ। ଏହାର ଘୋର ପ୍ରତିବାଦ କରିବୁ। ସେହିପରି ଶ୍ରୀ ମହାଲିଙ୍ଗ କହିଛନ୍ତି ଡାଲି ଏକ ପ୍ରତୀକ। ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନାହିଁ। ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ। ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ। ବାଚସ୍ପତି ନିର୍ଦଳୀୟ ନିଷ୍ପତ୍ତି ନେବା କଥା। ‌କିନ୍ତୁ ସେ କରୁ ନାହାନ୍ତି। ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ। ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ବାଚସ୍ପତି ନିଜର କର୍ତ୍ତବ୍ୟ ପ୍ରତି ଭୁଲି ଯାଉଛନ୍ତି। ସେ ଦଳୀୟ କର୍ମୀ ଭଳି କାମ କରୁଛନ୍ତି। ବିରୋଧୀ ଦଳର ବିଧାୟକମାନଙ୍କୁ କିଛି କହିବାକୁ ଦିଆଯାଉ ନାହିଁ।

Leave a Reply

Your email address will not be published. Required fields are marked *

Back to top button