ମେଡ଼ିକାଲ୍ ପାଇଖାନା ପାଖରେ ପିଲାକୁ ଛାଡ଼ି ପଳାଇଲେ ବାପା-ମା’

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ୍ରେ ଅଭାବନୀୟ ଘଟଣା ଘଟିଛି। ଚାରିଦିନର ନବଜାତ ଶିଶୁ ପୁତ୍ରକୁ ମେଡ଼ିକାଲ୍ ପାଇଖାନା ପାଖରେ ଛାଡି ପଳାଇଲେ ବାପା-ମା’। ପୋଲିସ ଓ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତାମାନେ ଶିଶୁପୁତ୍ରକୁ ଉଦ୍ଧାର କରି ଏମ୍କେସିଜି ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ର ଏନ୍ଏନ୍ସିୟୁରେ ଭର୍ତ୍ତି କରିଥିବା ଜଣାପଡିଛି।
ଖବର ଅନୁଯାୟୀ ବେଲଗୁଣ୍ଠା ବ୍ଲକ୍ ଖଇରପୁଟ ଗ୍ରାମର ସବିତା ସ୍ୱାଇଁ ଗତ ୭ ତାରିଖରେ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ସ୍ଵାମୀ ଶିଶିର ବ୍ରହ୍ମପୁରର ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଡାକ୍ତର ସମସ୍ତ ପରୀକ୍ଷା ପରେ ସିଜେରିଆନ୍ ଅପରେଶନ୍ କରି ପିଲା ଜନ୍ମ କରିଥିଲେ। ପିଲାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଲେ ପିଲାର ମୁଣ୍ଡରେ ପାଣି ଜମିବା ସହିତ ମେରୁଦଣ୍ଡରେ ସମସ୍ୟା ରହିଛି। ବଞ୍ଚାଇବା କଷ୍ଟକର ହେବ।
ଡାକ୍ତରଙ୍କ କଥା ଶୁଣି ଶିଶିର ଓ ସବିତାଙ୍କର ଚିନ୍ତା ବଢି ଯାଇଥିଲା। ଚିକିତ୍ସା ପାଇଁ ସମ୍ୱଳ ନଥିବାରୁ ସେମାନେ ପିଲାକୁ ଛାଡ଼ି ପଳାଇବାକୁ ନିଷ୍ପତ୍ତି ନେଇଥିଲେ। ମେଡ଼ିକାଲ୍ରୁ ଡିସ୍ଚାର୍ଜ ପରେ ସ୍ୱାମୀ-ସ୍ତ୍ରୀ ଶିଶୁପୁତ୍ରକୁ ସେହି ମେଡ଼ିକାଲ୍ର ପାଇଖାନା ପାଖରେ ଛାଡ଼ି ପଳାଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଚାଇଲ୍ଡ ଲାଇନ୍ ସଦସ୍ୟମାନେ ମେଡ଼ିକାଲ୍ ଯାଇ ପିଲା ବିଷୟରେ ପଚାରିଥିଲେ। ମାତ୍ର ମେଡ଼ିକାଲ୍ କର୍ତ୍ତୃପକ୍ଷ ପିଲା ସମ୍ପର୍କରେ କୌଣସି ସୂଚନା ନଦେବାରୁ ଚାଇଲ୍ଡ ଲାଇନ୍ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ୍ ଓ ଚାଇଲ୍ଡ୍ ଲାଇନ୍ କର୍ମକର୍ତ୍ତା ଶିଶୁ ପୁତ୍ରକୁ ପାଇଖାନା ପାଖରୁ ଉଦ୍ଧାରକରି ବ୍ରହ୍ମପୁର ଏମ୍କେସିଜି ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
ପୋଲିସ ଏକ ମାମଲା ରୁଜୁକରି ମେଡ଼ିକାଲ୍ର କାଗଜପତ୍ର ଯାଞ୍ଚ କରିବା ବେଳେ ପିଲାର ବାପା-ମା’ ଶିଶିର ଓ ସବିତା ବୋଲି ଜଣାପଡିଥିଲା। ଉଭୟଙ୍କୁ ଜେରାବେଳେ ସେମାନେ ସବୁକଥା ଜଣାପଡ଼ିଛି। ତେବେ ଶିଶିର, ସବିତା ଓ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି।