ଭୁବନେଶ୍ୱରରେ ବାୟୋ ମିଥେନ୍‌ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଓଦା ଅଳିଆକୁ ପ୍ରକ୍ରିୟା କରଣ କରିବା ପାଇଁ ଖୁବ୍‌ ଶୀଘ୍ର ୪ଟି ଜାଗାରେ ବାୟୋ ମିଥେନ୍‌ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ ସରକାରୀ ଘରୋଇ ଭାଗୀଦାରିତାରେ ଭୁବନେଶ୍ୱର ଉପକଣ୍ଠ ରୋକଟ, ମେହେର ପଲ୍ଲୀ, କୋଚିଲପୁଟ ଓ ବାସୁଆଘାଇରେ କରାଯିବ। ପ୍ଲାଣ୍ଟରୁ ନିର୍ଗତ ଗ୍ୟାସକୁ ସିଏନ୍‌ଜି ଗ୍ୟାସ୍‌ରେ ପରିଣତ କରାଯିବ ଓ ଆବର୍ଜନାକୁ ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିକ୍ରି କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ୫୦ଟିବିଟି କ୍ଷମତା ବିଶିଷ୍ଟ ୪ଟି ପ୍ଲାଣ୍ଟରେ ଦୈନିକ ୨୦୦ ଟନ୍‌ ଓଦା ଅଳିଆକୁ ପ୍ରକ୍ରିୟା କରଣ ହେବ। ୪ଟି ପ୍ଲାଣ୍ଟରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦିଅଯାଇଛି।

ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି ଅଳିଆ ଅଲଗା ନଦେଲେ ଭୁବନେଶ୍ୱର ମହାନଗର ନିଗମ ନେବନାହିଁ। ବାୟୋ ମିଥେନ ଗ୍ୟାସ୍‌ ପ୍ଲାଣ୍ଟ ପାଇଁ ଓଦା ଅଳିଆ ବ୍ୟବହାର ହେବ। ହେଲେ ଅନେକ ଲୋକ ଅଲଗା ଅଲଗା ଅଳିଆ ଦେଉନଥିବାରୁ ସେମାନଙ୍କୁ ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଭୁବନେଶ୍ୱରରୁ ଦୈନିକ ପ୍ରାୟ ୭୦୦ ଟନ୍‌ ଅଳିଆ ନିର୍ଗତ ହେଉଛି। ସେଥିରୁ ୪୦୦ ଟନ୍‌ ଓଦା ଅଳିଆ ବାହାରୁଛି। ଏବେ ଏମସିସି ଓ ଏମଆରଏଫ୍‌ରେ ଓଦା ଅଳିଆକୁ ପ୍ରକ୍ରିୟା କରଣ କରାଯାଇ ମୋ’ ଖତ ପ୍ରସ୍ତୁତ ହେଉଛି।

Leave a Reply

Your email address will not be published. Required fields are marked *

Back to top button