ଜାଲିଆତିକରି ଜମି ବିକ୍ରି ମାମଲାରେ ୫ ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଜମି ଜାଲିଆତି କରି ବିକ୍ରି ମାମଲାରେ ସ୍ପେଶାଲ କ୍ରାଇମ ୟୁନିଟ ଆଜି ୫ ପେସାଦାର ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ସବରେଜିଷ୍ଟର ଅଫିସର ହେଡ କ୍ଲର୍କ ସଞ୍ଜୟ ଷଡଙ୍ଗୀଙ୍କ ସମେତ ବିଶ୍ୱଜିତ ବେଉରା, ବିକାଶ ଚନ୍ଦ୍ର ପଣ୍ଡା, ସୀମାଞ୍ଚଳ ମହାନ୍ତି ଓ ପ୍ରତାପ ମିଶ୍ର।
ଖବର ଅନୁଯାୟୀ ସଂଯୁକ୍ତା ପାଣିଗ୍ରାହୀ ଏ ନେଇ ଥାନାରେ ଅଭିଯୋଗ କରିବାରୁ ଚନ୍ଦକା ଥାନାରେ ମାମଲା ରୁଜୁ ହୋଇଥିଲା। କୋର୍ଟଙ୍କ ଆଦେଶ ପରେ ପୋଲିସ ତଦନ୍ତ ଆରମ୍ଭ କରିବାରୁ ନୟାଗଡ଼ର କିଛି ବ୍ୟକ୍ତି ଜାଲ କାଗଜପତ୍ର ତିଆରି କରିବା ସହିତ ସବ ରେଜିଷ୍ଟରଙ୍କ ସହ ମିଶି ୧୦୦ ଡିସିମିଲ ଜମି ଅନ୍ୟ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ଏ ବାବଦରେ ୬୦ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ପୋଲିସ ମୋବାଇଲ ଫୋନ, କାଗଜପତ୍ର ଓ ସରକାରୀ ଷ୍ଟାମ୍ପ ବା ସିଲ ଜବତ କରିଛି। ଅନଲାଇନ ପୋର୍ଟାଲ ମାଧ୍ୟମରେ ଏମାନେ ଵିଜ୍ଞାପନ ଦେଇ ନକଲି ଲୋକଙ୍କୁ ମାଲିକ ଦର୍ଶାଇ ଜମି ବିକିଥିଲେ।