ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୭୪୨.୫୮ କୋଟି ‘କାଳିଆ’ ସହାୟତା

ଭୁବନେଶ୍ୱର : ରାଜ୍ୟ ସରକାର ନୂଆଁଖାଇ ଅବସରରେ ‘କାଳିଆ’ ଯୋଜନାରେ ୩୭ ଲକ୍ଷ ୧୨ହଜାର ୯୧୪ଜଣ ହିତାଧିକାରୀଙ୍କୁ ୭୪୨.୫୮କୋଟି ଟଙ୍କାର ରବି ଫସଲ ସହାୟତା ପ୍ରଦାନ କରିଛନ୍ତି। ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଁଏ ପଠାଯାଇଛି।

ଶନିବାର ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି । କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀମାନଙ୍କୁ ୩୨ଶହ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ କରିସାରିଲେଣି । ଚାଷୀଙ୍କ ସମସ୍ୟାକୁ କେବେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏମଏସପି ଓ ଫସଲ ବୀମା ପ୍ରସଙ୍ଗରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି । ସାର ଅଭାବକୁ ନେଇ ଦେଖାଦେଇଥିବା ଅସୁବିଧାର ସମାଧାନ ପାଇଁ ମଧ୍ୟ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି । ମରୁଡ଼ି ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏବେ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି । କୃଷି ବିଭାଗର ପରାମର୍ଶ ଅନୁସାରେ ଚାଷୀମାନେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନୂଆଁଖାଇ ହେଉଛି ମାଟି ମା’ର ପର୍ବ । ଆଉ ଚାଷୀମାନେ ହେଉଛନ୍ତି ମାଟି ମା’ର ସବୁଠୁ ବଡ଼ ପୂଜାରୀ । ତେଣୁ ଏହି ପବିତ୍ର ଦିନରେ ସହାୟତା ଦିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

ସେହିପରି କୃଷି ମନ୍ତ୍ରୀ ଅରୁଣ ସାହୁ ‘କାଳିଆ’ ଯୋଜନା ଏବେ ଚାଷୀକୂଳ ପାଇଁ ସାହାରା ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଚାଷୀ ମକରଧ୍ୱଜ ମେଣ୍ଡଳୀ, ବରଗଡ଼ର ଲାସିମା ବିଶ୍ୱାଳ ଓ ରାଧାକାନ୍ତ, ବଲାଙ୍ଗିରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ ‘କାଳିଆ’ ଯୋଜନାର ପ୍ରଶଂସା କରି ଠିକ୍ ସମୟରେ ସହାୟତା ମିଳୁଥିବାରୁ ଆଉ ଧାରକରଜ କରିବାକୁ ପଡ଼ୁନି ବୋଲି କହିଥିଲେ। ପୂର୍ବରୁ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧ ପାଇଁ ‘କାଳିଆ’ ସହାୟତା ୯୨୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button