ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ ହୋଇଛି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନଜାତି ସଂପ୍ରଦାୟର ପ୍ରତିନିଧିମାନଙ୍କୁ କହିଥିଲେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ। ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସନ୍ତାଳୀ ଭାଷାବିତ୍‌, ଗବେଷକ ଓ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ବିଶିଷ୍ଟ ସାନ୍ତାଳୀ ଭାଷାବିତ୍‌ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି। ତାଙ୍କୁ ସାନ୍ତାଳୀ ଭାଷାର ଭାଷାବିତମାନେ ସହଯୋଗ କରିଥିଲେ। ସାନ୍ତାଳୀ ଭାଷା ଆମ ସମ୍ବାଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି । ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଜନଜାତି ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଗ୍ରହ ଓ ସଚେତନା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏସବୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍‌ ଲାଇନ୍‌ରେ ଉପଲବ୍‌ଧ ହେବ। ବିଭିନ୍ନ ଜନଜାତି ଭାଷାରେ ସାର୍ଟିଫିକେଟ କୋର୍ସ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରତି ଜିଲ୍ଲାରେ ଭାଷା ବିଜ୍ଞାନାଗାର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button