୧୬ରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ଦ୍ୱାରା ଓଡ଼ିଆ ଜାତିର ଆରଧ୍ୟ୍ୟ ଦେବତା ତଥା ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଓ ଅନୀତି କାର୍ଯ୍ୟକୁ କଂଗ୍ରେସ ଘୋର ନିନ୍ଦା କରିଛି। ଏଥିସହ ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି, ମଣତି ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ। ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ। ଏସବୁ ଦାବିନେଇ ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ ଓ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ପୁରୀ ଠାରେ ଅନୁଷ୍ଠିତ ହେବ।

ବୁଧବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ୱାରକୁ ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ। ଯାହାଦ୍ୱାରା ଆଗାମୀ କାର୍ତ୍ତିକ ମାସରେ ହବିସିଆଳିଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁବିଧା ପାଇବେ। ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି। ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି। ସେ କହିଛନ୍ତି ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ। ଲୋକେ ଲମ୍ବା ଧାଡ଼ି କରି ଖରାରେ ଠିଆ ହୋଇଛନ୍ତି। ସାରା ଦେଶ ଏବଂ ବିଶ୍ୱରୁ ଭକ୍ତ ଆସି ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

୧୮୦୩ ମସିହାରେ ଇଂରେଜମମାନେ ଆସିଲା ପରେ ୧୮୦୫ ମସିହା ରତ୍ନଭଣ୍ଡାରରେ ଥିବା ସମସ୍ତ ଧନରତ୍ନ ଓ ଅଳଙ୍କାରର ତାଲିକା ଅଛି ବୋଲି ଚାଲସ୍ ଗ୍ରୁମ୍ ରିପୋର୍ଟରେ ଉଲ୍ଲେଖ ଅଛି। ସେହିପରି ୧୯୦୫ ମସିହାର ତାଲିକା ଅଛି। ଭଗବତଦୟାଲ ଶର୍ମା ଯେଉଁ କମିଟି ଗଠନ କରିଥିଲେ ସେମାନେ ମଧ୍ୟ ତାଲିକା କରିଛନ୍ତି ଏବଂ ଶେଷରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ୨୦୧୮ ମସିହାରେ ଯେଉଁ ୧୭ ଜଣିଆ ଦଳ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଆକଳନ କରିବାକୁ ଯାଇଥିଲେ ସେମାନେ ଭିତରକୁ ଚାବି ନଥିବାରୁ ପଶିପାରିଲେ ନାହିଁ।

ସେ କହିଲେ ୨୦୧୮ ମସିହା ମାର୍ଚ୍ଚ ତାରିଖ ପଂଚାୟତିରାଜ ଦିବସରେ ଆମ ଗାଁ ଆମ ବିକାଶ ଯୋଜନା କରାଗଲା। ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତ୍ୟେକ ଗାଁ ସଶକ୍ତି ହେବ ବୋଲି କହିଲେ। କିନ୍ତୁ ଦୁଃଖର କଥା ୫ ବର୍ଷପରେ ଏ ଯୋଜନାର ଫଳ କଣ ? କାହିଁକି ଏ ଯୋଜନାର ଗାଁ ସଶକ୍ତ ହେଲା ନାହିଁ ତାର ଉତ୍ତର ସରକାର ବା ବିଜୁଜନତା ଦଳ ଦେବାକୁ ସକ୍ଷମ ନୁହଁନ୍ତି। ଏହି ଯୋଜନାର ନାମକୁ ପରିବର୍ତ୍ତନ କରି ପୁଣି ଆଉ ଏକ ଭେଳିକି ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଏଇ କେଇଦିନ ହେଲା ଘୋଷଣ କଲେ। ଯୋଜନା ପରେ ଯୋଜନା କିନ୍ତୁ ଗୋଟିଏବି ଯୋଜନା ଓଡ଼ିଶାର ବିକାଶର ସହାୟକ କାହିଁକି ହେଉନାହିଁ। ଏହି ଯୋଜନା ମାଧ୍ୟମରେ ୪ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ କରାଯିବା ପାଇଁ ଘୋଷଣା କରାଯାଇଛି। କିନ୍ତୁ ସମ୍ବିଧାନର ୭୩ତମ ସଂଶୋଧନ ଆଇନର ଉଲ୍ଲଙ୍ଘନ କରି ପଂଚାୟତରାଜ ବ୍ୟବସ୍ଥାକୁ ଉପେକ୍ଷା କରି ବିଡିଓମାନଙ୍କ ମାଧ୍ୟମରେ ଖର୍ଚ୍ଚ କରାଯାଉଛି। ବିଜୁ ଜନତା ଦଳ ଗାଁର ବିକାଶ ପରିବର୍ତ୍ତେ ଦଳୀୟ ପାଣ୍ଠି ଯୋଗାଡ଼ କରିବାପାଇଁ ଏହି ଯୋଜନା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ଅମିୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Back to top button