କଂଗ୍ରେସର ପ୍ରଶ୍ନ : ଆରବିଆଇରେ ବଦଳା ଯାଉଥିବା ନୋଟ୍ ବିଜେପି ଓ ବିଜେଡ଼ିର କି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର ଆରବିଆଇ କାର୍ଯ୍ୟାଳୟ ସାମ୍ନାରେ ୬୦୦ ରୁ ୭୦୦ ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଛିଡ଼ା ହୋଇଛନ୍ତି। ଏଭଳି ଲମ୍ବା ଲାଇନ୍ ଅକ୍ଟୋବର ୧୪ ତାରିଖ ଠାରୁ ଆଜିକୁ ୧୮ ଦିନ ଧରି ଲାଗି ରହିଥିଲେ ମଧ୍ୟ କମିସନରେଟ ପୋଲିସ ଅଧିକାରୀ, ୟୁୂଓଡବ୍ଲରୁ ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇ.ଡ଼ି) ସମସ୍ତେ ଚୁପ୍ ହୋଇ ବସିଛନ୍ତି। ଗଣମାଧ୍ୟମ ଏହି ଘଟଣାକୁ ବାରମ୍ବାର ଦେଖାଇଲା ପରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା କଂଗ୍ରେସ ଅଭିଯୋଗ କରିଛି।

ଖବର ଅନୁଯାୟୀ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ରଜନୀ ମହାନ୍ତି କହିଲେ ୨୦୧୬ ନଭେମ୍ବର ୮ ତାରିଖ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଆଜିଠାରୁ ଦେଶର ପ୍ରଚଳିତ ୫ ଶହ ଓ ହଜାର ଟଙ୍କା ନୋଟ୍‌କୁ ଅଚଳ ଘୋଷଣା କରାଗଲା। ଏହି ବିମୁଦ୍ରୀକରଣ ଘୋଷଣା ଯୋଗୁଁ ଦେଶର ଅଣସଂଗଠିତ ଅର୍ଥନୀତି, ଅଣୁ, କ୍ଷୁଦ୍ର, ମଧ୍ୟମ ଧରଣ ଶିଳ୍ପ ଓ ଶ୍ରମଜୀବି ଏପରିକି ଭାରତ ବର୍ଷର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ହେଲା। ବିମୁଦ୍ରୀକରଣ ଘୋଷଣା କରିବାର ମୁଖ୍ୟକାରଣ ଗୁଡ଼ିକ ଥିଲା କଳାଧନକୁ ବିଲୁପ୍ତ, ଆତଙ୍କବାଦ ଓ ବିଦ୍ରୋହକୁ ଦମନ କରିବା। କିନ୍ତୁ ପ୍ରକୃତରେ ବିମୁଦ୍ରିକରଣ ଯୋଗୁଁ କୌଣସି ଗୋଟିଏ କାରଣ ସମାଧାନ ପରିବର୍ତ୍ତେ ଦେଶର ଅର୍ଥନୀତି ତଳିତଳାନ୍ତ ହେଲା। ଲକ୍ଷ ଲକ୍ଷ ଲୋକ ନିଜର ରୋଜଗାର ହରାଇଲେ। ଅଣସଂଗଠିତ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଧରଣ ଶିଳ୍ପ ସଂପୂର୍ଣ୍ଣ ଧ୍ୱସ୍ତବିଧୋସ୍ତ ହେଲା।

ସେ କହିଲେ ହଜାର ଟଙ୍କିଆ ନୋଟ ବନ୍ଦ କରିବାକୁ ଯାଇ କେନ୍ଦ୍ର ସରକାର ୨୦୦୦ ଟଙ୍କା ନୋଟ୍ ପ୍ରଚଳନ କଲେ। ୨୦୧୬ରୁ ୨୦୧୯ ମଇ ମାସ ମଧ୍ୟରେ ସମୁଦାୟ ୩ ଲକ୍ଷ ୫୬ ହଜାର ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା। ପୁନଃର୍ବାର ୨୦୨୩ ମଇ ମାସରେ କେନ୍ଦ୍ର ସରକାର ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ବନ୍ଦ କରିବା ପାଇଁ ଆଉ ଏକ ବିମୁଦ୍ରକରଣ ଘୋଷଣା କଲେ। ସରକାର ମଇ ମାସରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଜନସାଧାଣମାନଙ୍କୁ ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କା ବଦଳାଇବାକୁ ସମୟ ଦେଲେ। ଏତେଦିନ ସମୟ ପରେ ଭୁବନେଶ୍ୱରର କେଉଁ ବ୍ୟବସାୟୀମାନଙ୍କର କୋଟି କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ଠୁଳ ହୋଇ ରହିଥିଲା ? ୭ ମାସ ମଧ୍ୟରେ ବଦଳାଇ ପାରିଲେ ନାହିଁ କାହିଁକି ?

ସେ କହିଲେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନେ ଏ ଟଙ୍କା ତାଙ୍କର ନୁହଁ ବୋଲି କହି ସାରିଲେଣି। ଏହାସତ୍ତ୍ଵେ କାହିଁକି ଓ କାହା ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଟଙ୍କା ବଦଳାଇବାକୁ ସୁଯୋଗ ଦିଆଯାଉଛି ?ଏଥିସହ ପ୍ରଦେଶ କଂଗ୍ରେସ ପ୍ରଶ୍ନ କରିଛି ଏହା କ’ଣ ବିଜେପି ଓ ବିଜେଡ଼ି ଦଳର ବରିଷ୍ଠ ନେତୃବର୍ଗଙ୍କ ଟଙ୍କା କି ? ଯାହାଫଳରେ ତଦନ୍ତକାରୀ ସଂସ୍ଥା ଗୁଡିକ ଚୁପ୍ ରହୁଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ଓ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button