ସିବିଆଇ ଓ ଇଡି ବିଜେପିର ସମ୍ମୁଖ ଯୋଦ୍ଧା : କଂଗ୍ରେସ

ନୂଆଦିଲ୍ଲୀ : ରାଜସ୍ଥାନରେ ଜଣେ ଇଡି ଅଧିକାରୀ ଓ ସହଯୋଗୀଙ୍କୁ ଗିରଫ ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ପାର୍ଟିର ମିଡିଆ ବିଭାଗର ମୁଖ୍ୟ ପୱନ ଖେଡା କହିଛନ୍ତି ୩ଟି କେନ୍ଦ୍ରୀୟ ସଂସ୍ଥା ଏବେ ଭାରତୀୟ ଜନତା ପାର୍ଟିର ଫ୍ରଣ୍ଟଲାଇନ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି।
ଖବର ଅନୁଯାୟୀ ପୱନ ଖେଡା କହିଛନ୍ତି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଓ ଆୟକର ବିଭାଗ ଭାରତୀୟ ଜନତା ପାର୍ଟିର ପ୍ରଚାରକ ଓ ଫ୍ରଣ୍ଟଲାଇନ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁମାନଙ୍କୁ ଦୁର୍ନୀତି ରୋକିବା ପାଇଁ ଦାୟିତ୍ୱ ଦିଆଯାଇଛି ସେହି ଅଧିକାରୀମାନେ ଲାଞ୍ଚ ନେଉଛନ୍ତି। ବିଜେପି ସରକାର ନିରପେକ୍ଷ ସଂସ୍ଥାକୁ ଦମନ କରୁଛନ୍ତି। ଏହା ଦେଶ ପାଇଁ ବିପଦ।
ଇଡି ଅଧିକାରୀଙ୍କ ଗିରଫଦାରୀକୁ ନେଇ ସେ କହିଛନ୍ତି ମୋଦୀ ସରକାର ଇଡିର ରେଟ୍ ତାଲିକା ସାର୍ବଜନୀନ କରିବା ଉଚିତ୍। ଯଦି କ୍ଷୁଦ୍ର ସ୍ତରର ଅଧିକାରୀଙ୍କ ରେଟ୍ ୧୫ ଲକ୍ଷ ଟଙ୍କା, ତା’ହେଲେ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କ ରେଟ କେତେ ? ସେ ଦାବି କରିଛନ୍ତି ଇଡି, ସିବିଆଇ, ଆୟକର ବିଭାଗ ସମସ୍ତେ ବିଜେପିର ପ୍ରଚାରକ। ବିରୋଧୀ ଦଳର ନେତାମାନଙ୍କୁ ଭୟଭୀତ କରି ବିଜେପିରେ ମିଶାଇବା ପାଇଁ ସେମାନଙ୍କୁ ଟାର୍ଗେଟ ଦିଆଯାଇଛି।