ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ ହେବ

ନୂଆଦିଲ୍ଲୀ : ଚଳିତବର୍ଷ ହେବ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ। ଏଥିପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭୋଟରଙ୍କୁ ମନାଇବାକୁ କରାଯାଉଛି ବିଭିନ୍ନ ଘୋଷଣା। ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା ଓ କୃଷକମାନଙ୍କ ଋଣ ଛାଡ କରାଯିବ।

ଖବର ଅନୁଯାୟୀ ମଙ୍ଗଳବାର ମଧ୍ୟପ୍ରଦେଶର ସାଗରଠାରେ ଏକ ଜନସଭାକୁ ଉଦବୋଧନ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡଗେ। ଏହି ଅବସରରେ ସେ କହିଛନ୍ତି କଂଗ୍ରେସ ସରକାର ଆସିଲେ ରାଜ୍ୟରେ ସନ୍ଥ ରବିଦାସଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ଖୋଲାଯିବ। କେବଳ ସେତିକି ନୁହେଁ ରାଜ୍ୟର କୃଷକମାନଙ୍କ ଋଣ ଛାଡ ଓ ରୋଷେଇ ଗ୍ୟାସ ସିଲିଣ୍ଡର ୫୦୦ଟଙ୍କାରେ ଉପଲବ୍ଧ ହେବ। ଏହାଛଡା ୧୮ବର୍ଷରୁ ଅଧିକ ମହିଳାଙ୍କୁ ମାସିକ ମିଳିବ ୧୫୦୦ଟଙ୍କା। ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ କରାଯିବ। ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ ଲାଗୁ କରାଯିବ ବୋଲି ସେ ଆଗୁଆ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ଖଡଗେ କହିଛନ୍ତି ବିଜେପିକୁ କ୍ଷମତାରୁ ଦୂରେଇ ନରଖିଲେ ସେମାନେ ଦେଶକୁ ବର୍ବାଦ କରିଦେବେ। ତିନିମାସ ହେବ ମଣିପୁର ଜଳୁଛି ହେଲେ ପ୍ରଧାନମନ୍ତ୍ରୀ ମଣିପୁର ଯାଉ ନାହାଁନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button