ସ୍ତ୍ରୀକୁ ହତ୍ୟାକରି ପୋଡ଼ିଦେଲା ସ୍ୱାମୀ

ବଲାଙ୍ଗୀର : ଖପ୍ରାଖୋଲ ଥାନା ପୁତଲାମହୁଲ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ସାଜିଛି ସ୍ତ୍ରୀର ହତ୍ୟାକାରୀ। ପ୍ରମାଣ ନଷ୍ଟ ପାଇଁ ସମ୍ପକୀୟଙ୍କ ସହିତ ଶବକୁ ପୋଡ଼ିଦେଇଥିଲେ ହେଁ ଦୁଇଦିନ ପରେ ସତ ଲୋକଲୋଚନକୁ ଆସିଛି। ବନ୍ଧା ହୋଇଛନ୍ତି ସ୍ୱାମୀ ଦେବରାଜ ସାହୁ, ଦେଢ଼ଶୁର ଟିକେଲାଲ ଓ ସଂପର୍କୀୟ ମଉସା ଗୁଣନିଧି।
ଖବର ଅନୁଯାୟୀ ପୁତଲାମହୁଲ ଗାଁର ଦେବରାଜ ସାହୁ ୬ ବର୍ଷ ତଳେ ଚିଙ୍ଗିରିତାଳ ଗାଁର ଯୁବତୀ ଚୁଳବତୀଙ୍କୁ ବିବାହ କରିଥିଲେ। ହସଖୁସିରେ ସଂସାର ଚାଲିଥିଲେ ହେଁ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଶନିବାର ସକାଳେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ପିଟିପିଟି ଚୁଳବତୀଙ୍କୁ ହତ୍ୟା କରିଥିଲେ ଦେବରାଜ। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡ଼ି ଦେବାକୁ ଯୋଜନା କରିଥିଲେ। ଦେଢ଼ଶୁର ଟିକେଲାଲ ଓ ସଂପର୍କୀୟ ମଉସା ସହଯୋଗ କରିବାରୁ ମୃତଦେହ ଅଖାରେ ପୁରାଇ ନିକଟସ୍ଥ ଜଙ୍ଗଲରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ।
ରଜରେ ଚୁଳବତୀଙ୍କ ଘରକୁ ଆସିଥିବା ବାପା ଝିଅ କୁଆଡ଼େ ଗଲା ବୋଲି ଜ୍ୱାଇଁ ଦେବରାଜଙ୍କୁ ପଚାରିବାରୁ ସେ କିଛି କହିନଥିଲେ। ପରେ ଯାହା ଉତ୍ତର ଦେଇଥିଲେ ତାହା ସନ୍ତୋଷ ଜନକ ନହେବାରୁ ଜ୍ୱାଇଁ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ଝିଅ ନିଖୋଜ ନେଇ ସେ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦେବରାଜଙ୍କୁ ପଚରାଉଚରା କରିବା ପରେ ସତ ଜଣାପଡିଥିଲା।