ଥାନାରୁ ଫେରାର ଯୁବକର ମହାନଦୀରୁ ମିଳିଲା ମୃତଦେହ

କଟକ : ଗତକାଲି କ୍ୟାଣ୍ଟନମେଣ୍ଟ ପୋଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତ ଶଙ୍କର୍ଷଣ ବେହେରା ଓରଫ ବବୁଲୁଙ୍କ ମୃତଦେହ ଆଜି ମହାନଦୀ ଯୋବ୍ରା ନିକଟରେରୁ ଉଦ୍ଧାର ହୋଇଛି। ପୋଲିସ୍‌ର ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି ବବୁଲୁ ମହାନଦୀକୁ ଡେଇଁ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯେଉଁ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ବବୁଲୁର ଜୀବନ ଗଲା ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସେମାନେ ଦାବି କରିଛନ୍ତି।

ଖବର ଅନୁଯାୟୀ ଗତକାଲି କ୍ୟାଣ୍ଟନମେଣ୍ଟ ଥାନାରୁ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଯୁବକ ଜଣକ ଚମ୍ପଟ ମାରିଥିଲେ। ତାଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ ବବୁଲ। ମୋବାଇଲ ଚୋରି ମାମଲାରେ ପୋଲିସ ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଅଟକ ରଖିଥିଲା। ଗତକାଲି ଭୋର ସମୟରେ ଥାନାରୁ ସେ ଫେରାର ହୋଇଯାଇ ମହାନଦୀକୁ ଡେଇଁପଡ଼ିଥିଲା। ଆଜି କଟକ ଯୋବ୍ରା ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକ ଆସି ଚିହ୍ନଟ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି ବବୁଲୁଙ୍କ ମୃତଦେହକୁ ବ୍ୟବଚ୍ଛ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ କରାଯିବ। ଯଦି କାହାର ଅବହେଳା ଯୋଗୁ ଅଭିଯୁକ୍ତ ଫେରାର ହୋଇଯାଇଥିବେ ତା’ହେଲେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ଵରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୋଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇଥିଲା। ପୋଲିସ ତା’ ନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତ କରିଥିଲା। ତାକୁ କାବୁ କରିବା ପରେ କ୍ୟାଣ୍ଟନମେଣ୍ଟ ଥାନାର ଜିମା ଦେଇଥିଲା। ଥାନାରୁ ଚମ୍ପଟ ମାରି ଶଙ୍କର୍ଷଣ ମହାନଦୀକୁ ଡେଇଁଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାକୁ ଖୋଜାଖୋଜି କରିଥିଲେ। କିନ୍ତୁ ତା’ର ପତ୍ତା ମିଳିନଥିଲା।

Leave a Reply

Your email address will not be published. Required fields are marked *

Back to top button