ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିନ : ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆଉ ତ୍ରୁଟିର ତଦନ୍ତ ପାଇଁ ସରକାର ଗଠନ କରିଛନ୍ତି କମିଟି।

ଖବର ଅନୁଯାୟୀ ଗୁରୁବାର ସଂସଦର ଉଭୟ ଗୃହ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତାମାନେ ସୁରକ୍ଷା ତ୍ରୁଟି ନେଇ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କରିବାରୁ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଅଶାଳୀନ ଆଚରଣ ପାଇଁ ୫ ଜଣ କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ସହ ଯୁକ୍ତିତର୍କ ପରେ ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ପଞ୍ଚମ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ପୋଲିସର ସୂଚନା ୨୦୦୧ ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିବସରରେ ୬ ଜଣ ବ୍ୟକ୍ତି ଯୋଜନାବଦ୍ଧ ଭାବେ ସଂସଦ ଭିତରକୁ ଅନୁପ୍ରବେଶ କରିଥିଲେ। ସେମାନେ ୪ ବର୍ଷ ଧରି ଯୋଗାଯୋଗରେ ଥିଲେ। ଘଟଣାର କିଛିଦିନ ପୂର୍ବରୁ ଏଥିପାଇଁ ଯୋଜନା କରିଥିବା ପଚରାଉଚରା ବେଳେ ଜଣାପଡ଼ିଥିଲା। ସେମାନେ ସୋସିଆଲ ମିଡିଆ ଜରିଆରେ ସମନ୍ଵୟ ରକ୍ଷା କରିବା ସହ ଅନୁପ୍ରବେଶ ପୂର୍ବରୁ ସଂସଦ ଭବନର ଯାଞ୍ଚ କରିଥିଲେ।

ସୂଚନାଯୋଗ୍ୟ ଡିସେମ୍ବର ୧୩ ତାରିଖ ଦିନ ଲୋକସଭାର ଶୂନ୍ୟକାଳରେ ସାଗର ଶର୍ମା ଓ ମନୋରଞ୍ଜନ ଡି ପବ୍ଲିକ ଗ୍ୟାଲେରିରୁ ଗୃହ ଭିତରକୁ ଡେଇଁ କାନିଷ୍ଟରରୁ ହଳଦିଆ ଗ୍ୟାସ ଛାଡି ନାରାବାଜି କରିଥିଲେ। ସାଂସଦମାନେ ସେମାନଙ୍କୁ କାବୁ କରିଥିଲେ। ସେହିପରି ଅମୋଲ ସିନ୍ଦେ ଓ ନୀଲମ ନାମକ ଜଣେ ମହିଳା ହଳଦିଆ ଧୂଆଁ ବାହାରୁଥିବା କ୍ୟାନ୍‌ ଧରି ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ଉଭୟଙ୍କୁ ପୋଲିସ ହେପାଜତରେ ନେଇଥିଲା। ଏବେ ସେମାନଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button