ଦୀପାବଳି ଠାରୁ ବଜାରରେ ମିଳିବ ଜିଓଫୋନ ନେକ୍ସଟ

ଭୁବନେଶ୍ୱର : ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ଜିଓ ଓ ଗୁଗୁଲ ମିଳିତ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ଗୁଡିକରେ ଏହା ମିଳିବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଖବର ଅନୁଯାୟୀ ଏହି ସ୍ମାର୍ଟଫୋନ ଗ୍ରାହକମାନେ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟକୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ଆକର୍ଷଣୀୟ ଅଫର ଦିଆଯାଉଛି। ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ପୂରଣ କରିପାରିବେ। କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବଣ୍ଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ।

ଜିଓଫୋନ ନେକ୍ସଟରେ ଡୁଆଲ ସିମ ସୁବିଧା ସହିତ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର। ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି। ଏଥିସହିତ ୨ ଜିବି ରାମ, ୬୪ ବିଟ ସିପିୟୁ ସହିତ କ୍ୱାଡ଼କୋର କ୍ୟୁଏମ୨୧୫ ଚିପସେଟ ଓ ୩୨ ଜିବି ଅନ୍ତର୍ନିହିତ ମେମୋରୀ ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।

ଜିଓଫୋନ ନେକ୍ସଟରେ ସବୁଠାରୁ ଭଲ କ୍ୟାମେରା ଓ ବ୍ୟାଟେରୀ କ୍ଷମତା ରହିଛି। ୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ ମୋଡ଼, ପୋଟ୍ରେଟ ମୋଡ଼ ତଥା ଏଚଡ଼ିଆର ମୋଡ଼ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣି ପାଇଁ ସ୍ୱତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି। ଏହି ଫୋନରେ ୩୫୦୦ ଏମଏଚ ର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button