ଦୁଇଟି ଦେଶରେ ବିକ୍ରି ହୁଏନି କୋକାକୋଲା

ସାରା ଦୁନିଆରେ ଆଦ୍ରୁତ ଲାଭ କରିଥିବା କୋକାକୋଲା ବିଶ୍ୱର ଦୁଇଟି ଦେଶରେ ବିକ୍ରି ହୁଏନି। ଏଥିପାଇଁ ଉତ୍ତର କୋରିଆ ଓ କ୍ୟୁବାରେ ଅନୁମତି ନାହିଁ।
ଖବର ଅନୁଯାୟୀ ୧୮୯୨ ମସିହାରେ ଆରମ୍ଭ ହୋଇଥିଲା କୋକାକୋଲା କମ୍ପାନୀ। ଆଟଲାଣ୍ଟାର କ୍ୟାଣ୍ଡ୍ଲର ନାମକ ଜଣେ ବ୍ୟବସାୟୀ ଏହି କମ୍ପାନୀକୁ ଆରମ୍ଭ କରିଥିଲେ। କିନ୍ତୁ ପ୍ରକୃତରେ କୋକାକୋଲାକୁ ପୂର୍ବରୁ ୧୮୮୬ ମସିହାରେ ଫାର୍ମାସିଷ୍ଟ ଡଃ. ଜନ ଏସ ପରବନଟନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏଥିରେ ଆଲକୋହଲ ମିଶ୍ରଣ ହେଉଥିବାରୁ ଲୋକମାନେ ଏହାକୁ ଔଷଧ ରୂପେ ବ୍ୟବହାର କରୁଥିଲେ। ସୋଡ଼ା ଫାଉଣ୍ଟେନ ଷ୍ଟୋରରେ ଔଷଧ ଭାବେ ବିକ୍ରୀ କରାଯାଉଥିଲା। ଏହାକୁ ବ୍ୟବହାର କରି ମୁଣ୍ଡ ବିନ୍ଧା, ଛାତି ଜଳାପୋଡ଼ା ଓ ମୁଣ୍ଡ ଘୁରେଇବା ଭଳି ରୋଗରୁ ଲୋକମାନେ ଭଲ ହେଉଥିଲେ। କିନ୍ତୁ ଏହି ପାନୀୟର ମୂଳ ମିଶ୍ରଣକୁ କ୍ୟାଣ୍ଡଲର ବଦଳାଇ ଦେବାପରେ କୋକାକୋଲା କମ୍ପାନୀ ସ୍ପ୍ରାଇଟ ଓ ଫେଣ୍ଟାଭଳି ନୂଆ ନୂଆ ବେଭେରେଜ ଆରମ୍ଭ କରିଥିଲେ ହେଁ କୋକାକୋଲାର ଲୋକ ପ୍ରିୟତା ପୂର୍ବଭଳି ରହିଛି।
ଅନ୍ୟପକ୍ଷରେ କ୍ୟୁବାରେ କୋକାକୋଲା ବିକ୍ରି ନହେବାର କାରଣ ୧୯୬୨ ମସିହାରେ ସେଠାରେ କ୍ୟୁବା ରିଭୋଲ୍ୟୁସନ ଆରମ୍ଭ ହେବାରୁ କେଷ୍ଟ୍ରୋ ସରକାର କୋକାକୋଲାର ଉତ୍ପାଦନକୁ ବନ୍ଦ କରିଦେଇଥିଲେ। ସମସ୍ତ ବିଦେଶୀ କମ୍ପାନୀକୁ ବନ୍ଦ କରି ସେମାନଙ୍କ ସମ୍ପତ୍ତିକୁ ସରକାର ଅକ୍ତିଆରକୁ ନେଇ ଅନ୍ୟ ଦେଶ ସହ ସମ୍ପର୍କ ରଖିବା ଶାସନାଦେଶ ଜାରି କରିଥିଲେ। ସେହିଦିନ ଠାରୁ କୋକାକୋଲା କ୍ୟୁବା ଛାଡ଼ିଦେଇଥିଲା। ଆମେରିକାରେ କ୍ୟୁବା ବିରୁଦ୍ଧରେ ଶାସନାଦେଶ ଜାରି କରାଗଲା। ସେହିଦିନରୁ କ୍ୟୁବାରେ କୋକାକୋଲା ବିକ୍ରି ହେଉ ନାହିଁ।
୧୯୫୦ରୁ ୧୯୫୩ ମସିହା ମଧ୍ୟରେ କୋରିଆରେ ଯୁଦ୍ଧ ଲାଗି ରହିଥିଲା। ସେଥିପାଇଁ ମିଳିତ ଜାତିସଂଘ ଉତ୍ତର କୋରିଆରେ ବାଣିଜ୍ୟ ଗତିବିଧି ଉପରେ ଲଗାମ ଲଗାଇଥିଲେ। ଯେତେବେଳେ ଉତ୍ତର କୋରିଆ ୧୯୮୦ ମସିହାରେ ଦକ୍ଷିଣ କୋରିଆ ଉପରେ ବୋମା ମାଡ଼ କଲା। ସେବେଠାରୁ ଆମେରିକା ଉତ୍ତର କୋରିଆ ଉପରେ କଡ଼ା ଆଇନ ଲାଗୁ କରିଥିଲା। ଯାହା ଫଳରେ ଆମେରିକାର କୌଣସି କମ୍ପାନୀ ଉତ୍ତର କୋରିଆ ସହ ବାଣିଜ୍ୟ ବ୍ୟବସାୟ କରନ୍ତି ନାହିଁ। ସେହିଭଳି ମିଆଁମାର ଓ ଭିଏତନାମରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ କୋକାକୋଲା ବିକ୍ରି ହେଉନଥିଲା। ସମୟକ୍ରମେ ଭିଏତନାମରେ ୧୯୯୪ ଓ ମିଆଁମାରରେ ୨୦୧୨ ମସିହାରୁ କୋକାକୋଲା ବିକ୍ରି ପାଇଁ ଅନୁମତି ଦିଆଯାଇଛି।