ଦୁଷ୍କର୍ମ ଅଭିଯୋଗରେ ବାୟୁସେନା ଅଧିକାରୀ ଗିରଫ

କୋଏମ୍ବଟୁର : ତାମିଲନାଡୁ କଏମ୍ବଟୁର ଜିଲ୍ଲାରେ ବାୟୁସେନାର ଲେଫ୍ଟନାଣ୍ଟ ଜଣେ ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗାନ୍ଧିପୁର ଅଲ୍ ୱୁମେନ୍ ପୋଲିସ ରବିବାର ତାଙ୍କୁ ଗିରଫ କରିଛି।
ଖବର ଅନୁଯାୟୀ ଅଗଷ୍ଟ ମାସରେ ସାରା ଭାରତରୁ କଏମ୍ବଟୁର ଏୟରଫୋର୍ସ କଲେଜରେ ଟ୍ରେନିଂ ନେବା ପାଇଁ ୩୦ ଏୟାରଫୋର୍ସ ଅଫିସର ପହଞ୍ଚିଥିଲେ। ତେବେ ୨୯ ବର୍ଷୀୟ ମହିଳା ବାୟୁସେନା ଅଧିକାରୀ କହିଛନ୍ତି ସେପ୍ଟେମ୍ବର ୧୦ରେ ବାସ୍କେଟବଲ ଖେଳୁଥିବାବେଳେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ସେ ଔଷଧ ଖାଇ ଶୋଇବାକୁ ଯାଇଥିଲେ। ତେବେ ମଧ୍ୟରାତ୍ରିରେ ଆଖି ଖୋଲିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଦେହରେ କୌଣସି ପୋଷାକ ନଥିଲା। ଅଭିଯୁକ୍ତ ଅଧିକାରୀ ତାଙ୍କ ସାମ୍ନାରେ ବିନା ପୋଷାକରେ ଉପସ୍ଥିତ ଥିଲେ। ତାଙ୍କ ସହ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି।
ମହିଳା ଅଫିସର ଜଣକ ଏନେଇ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କୌଣସି ଆକ୍ସନ ନହେବାରୁ ସେ ବାଧ୍ୟ ହୋଇ କୋଏମ୍ବଟୁର ସିଟି ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପରେ ବାୟୁସେନା ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି।