ହତ୍ୟା ଘଟଣାରେ ୫ ଜଣଙ୍କୁ ୭ ବର୍ଷ ଜେଲ୍

ଆସିକା : ଗାଡ଼ି ଓଭରଟେକ୍‌କୁ କେନ୍ଦ୍ରକରି ଘଟିଥିବା ଏକ ହତ୍ୟା ମାମଲାରେ ଆସିକା ଏଡିଜେ କୋର୍ଟ ୫ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ପାଇଁ ଅଧିକ ଚାରିମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ମଦନ ପୋଲାଇ, ଚନ୍ଦନ ପୋଲାଇ, ସୀମାଞ୍ଚଳ ପୋଲାଇ, ସତ୍ୟନାରାୟଣ ପରିଡ଼ା ଓ ପ୍ୟାରୀମୋହନ ପରିଡ଼ା।

ଖବର ଅନୁଯାୟୀ ୨୦୨୦ ନଭେମ୍ବର ୨୬ ତାରିଖରେ ଆସିକା ଥାନା କେ.ନୂଆପଲ୍ଲୀ ଛକରେ କାର୍‌କୁ ଓଭରଟେକ୍ କରିଥିଲା ବାଇକ୍। କାର୍‌‌ରେ ଥିବା ପୋଲସରା ଖଣ୍ଡିଆସାହିର ଅଜିତ ଖଟେଇ ଓ ପାଇଲିପଡ଼ାର ବାଦଲ ପାତ୍ର ବାଇକ୍ ଚାଳକ ମଦନ ପୋଲାଇଙ୍କ ସହ ପାଟିତୁଣ୍ଡ କରିଥିଲେ। ଉଭୟ ହାତାହାତି ହୋଇଥିଲେ। କିଛି ସମୟ ପରେ ମଦନଙ୍କ ସଂପର୍କୀୟମାନେ ପହଞ୍ଚି ବାଦଲ ଓ ଅଜିତଙ୍କୁ ମାଡ଼ ମାରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଡାକ୍ତରଖାନା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ପରେ ଅଜିତ୍‌ଙ୍କୁ ଭୁବନେଶ୍ଵରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମାଆ ବଙ୍ଗାଳିଙ୍କ ଏତଲା କ୍ରମେ ଆସିକା ଥାନାରେ ମାମଲା ରୁଜୁ ହେବାରୁ ଅଭିଯୁକ୍ତମାନେ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button