ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କଟକ ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ

କଟକ : କଟକର ଖାନ୍‌ନଗରସ୍ଥିତ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ ଆଜି ଅପରାହ୍ନରେ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ପରେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ଏଠାରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ବସ୍‌ ଯାତ୍ରା ଆରମ୍ଭ କରିଛି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ ସନସାଇନ ପଡ଼ିଆଠାରେ ହେଲିପ୍ୟାଡ଼ରେ ଅବତରଣ କରି ଟର୍ମିନାଲରେ ପହଞ୍ଚିଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବସ ଟର୍ମିନାଲରେ ଡ୍ରାଇଭର ଓ ବସ୍‌ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଏବଂ ବସ୍‌ ରହଣି ସ୍ଥାନ ରହିଛି। ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ବସ୍‌ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ବ୍ୟବସ୍ଥା ସହିତ ୨୦ଟି ‘ମୋ ବସ୍‌’କୁ ମିଶାଇ ୧୯୧ଟି ବସ୍‌ ରହଣୀର ସୁବିଧା ରହିଛି। କଟକ ମହାନଗର ନିଗମ ପକ୍ଷରୁ ପୂର୍ବରୁ କୁହାଯାଇଛି ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ଶେଷ କରାଯିବ ବୋଲି ଯୋଜନା ରହିଛି।

ଅନ୍ୟପକ୍ଷରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ଯୁବ ମୋର୍ଚ୍ଚା ଓ ହିନ୍ଦୁ ସେନା ବିରୋଧ କରିଛି। ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀ ସତିଚୌରା ଛକ ପାଖେ ଓ ହିନ୍ଦୁ ସେନା ପକ୍ଷରୁ କଟକ ବାଦାମବାଡ଼ି ଠାରେ କଳାପତାକା ପ୍ରଦର୍ଶନ କରିବା ଫଳରେ ପୋଲିସ ପ୍ରତିବାଦକାରୀଙ୍କୁ ଉଠାଇ ନେଇଛି।

Leave a Reply

Your email address will not be published. Required fields are marked *

Back to top button