ଗର୍ଭବତୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବିପଦ ଅଧିକ

ନୂଆଦିଲ୍ଲୀ : ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ତେଣୁ ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ଆବଶ୍ୟକ ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି।

ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ଗର୍ଭାବସ୍ଥାରେ ସବୁଠାରୁ ଜଟିଳ ସମସ୍ୟା ହେଉଛି ସମୟ ପୂର୍ବରୁ ପ୍ରସବ ଓ ଉଚ୍ଚ ରକ୍ତଚାପ ଭଳି ବିକାର। ରକ୍ତହୀନତା, ଯକ୍ଷ୍ମା ଓ ମଧୁମେହ ଭଳି ରୋଗରେ ପୀଡ଼ିତ ଗର୍ଭବତୀ ମହିଳା ପିଲା ଜନ୍ମ ଦେବା ପରେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥାନ୍ତି। ମହାରାଷ୍ଟ୍ରରେ କରୋନାର ପ୍ରଥମ ଲହରରେ କୋଭିଡ୍‌-୧୯ରେ ପୀଡ଼ିତ ମହିଳାଙ୍କୁ ନୈଦାନିକ ବିଶେଷତା ଓ ଗର୍ଭାବସ୍ଥାର ପରିଣାମ ଉପରେ ବିଶ୍ଳେଷଣ କରାଯାଇଥିଲା। ଏହି ବିଶ୍ଳେଷଣ ପ୍ରେଗକୋଭିଡ ରେଜିଷ୍ଟ୍ରୀ ସଂଖ୍ୟା ଉପରେ ଆଧାରିତ ଥିଲା।

କୋଭିଡ-୧୯ରୁ ଆରୋଗ୍ୟ ହୋଇଥିବା ଗର୍ଭବତୀ ମହିଳା ଓ ପ୍ରସବ ପରେ କିଛି ମହିଳାଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ମହାରାଷ୍ଟ୍ରର ୧୯ଟି ମେଡିକାଲ କଲେଜର ରେକର୍ଡ ଏକାଠି କରାଯାଇ ୪,୨୦୩ ଗର୍ଭବତୀଙ୍କୁ ନେଇ କରାଯାଇଥିବା ଏଥିରୁ ଜଣାପଡ଼ିଛି ୩,୨୧୩ ଶିଶୁ ଜନ୍ମ ହୋଇଥିବାବେଳେ ୭୭ ଜଣଙ୍କ ଗର୍ଭପାତ ହୋଇଥିଲା। ଅସମୟରେ ଗର୍ଭଧାରଣ କରିଥିବା ମହିଳାଙ୍କ ସଂଖ୍ୟା ୮୩୪। ସେଥିପାଇଁ କୁହାଯାଇଛି ସବୁଠାରୁ ଜଟିଳ ସମୟ ହେଉଛି ପ୍ରସବ ପୂର୍ବ ଓ ପ୍ରସବୋତ୍ତର। ଏହି ସମୟରେ ମହିଳାମାନଙ୍କୁ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *

Back to top button