ଗିଲାନୀଙ୍କ ଶବରେ ପାକିସ୍ତାନୀ ପତାକା : ଜମ୍ମୁ ଓ କଶ୍ମୀର ପୋଲିସ ମାମଲା ରୁଜୁ କଲା
ଶ୍ରୀନଗର : ସାମାଜିକ ଗଣମାଧ୍ୟମରେ କଠୋରପନ୍ଥୀ ବିଚ୍ଛିନ୍ନତାବାଦୀ ନେତା ସୈୟେଦ୍ ଅଲି ଶାହ ଗିଲାନୀଙ୍କ ଶବ ପାକିସ୍ତାନୀ ପତାକାଦ୍ୱାରା ଆବୃତ ଭିଡିଓ ପ୍ରସାରିତ ହୋଇଛି। ଏଥିସହ ତାଙ୍କ ମୃତ୍ୟୁପରେ ଦେଶ-ବିରୋଧୀ ସ୍ଲୋଗାନ୍ ଦିଆଯାଇଥିବାରୁ ଜମ୍ମୁ ଓ କଶ୍ମୀର ପୋଲିସ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ (ପ୍ରିଭେନ୍ସନ୍) ଆକ୍ଟ୍ରେ ମାମଲା ରୁଜୁ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ପାକିସ୍ତାନୀ ପତାକାରେ ଗିଲାନୀଙ୍କ ଶବ ଆବୃତ କରାଯାଇଥିବା ଭିଡିଓ ବଡ଼ଗାମ ପୋଲିସ ଶନିବାର ଦେଖିଥିବା ବେଳେ ଉପରୋକ୍ତ ଆଇନର ବିଭିନ୍ନ ଦଫାରେ ସମ୍ପୃକ୍ତ ଅନାମିତ ବ୍ୟକ୍ତିମାନଙ୍କ ବିରୋଧରେ ଏଫ୍ଆଇଆର୍ ରେଜିଷ୍ଟ୍ରି କରିଛି।
ଦୀର୍ଘକାଳ ଧରି ଅସୁସ୍ଥ ଥିବା ୯୧ ବର୍ଷିୟ ଗିଲାନୀଙ୍କର ବୁଧବାର ରାତିରେ ନିଜ ବାସଭବନରେ ପରଲୋକ ହୋଇଥିଲା। ଗୁରୁବାର ପ୍ରତ୍ୟୁଷରେ ଶ୍ରୀନଗର ଅନ୍ତର୍ଗତ ହାଇଦରପଡ଼ା ଅଞ୍ଚଳର ଗୋଟାଏ ମସ୍ଜିଦ୍ ନିକଟ କବରସ୍ତାନରେ ତାଙ୍କର ନିରବ ଶେଷକୃତ୍ୟ କରାଯାଇ କବର ଦିଆଯାଇଥିଲା। ପୋଲିସ କେବଳ ତାଙ୍କର ନିବିଡ଼ ଆତ୍ମୀୟସ୍ଵଜନ ଓ ପଡ଼ୋଶୀମାନଙ୍କୁ ଶେଷକୃତ୍ୟରେ ଯୋଗ ଦେବାକୁ ଅନୁମତି ଦେଇଥିଲା। କବରସ୍ତାନକୁ ପୋଲିସମାନେ ସମ୍ପୂର୍ଣ୍ଣରୂପେ ବେଢ଼ି ରହିଥିଲେ।
ଗିଲାନୀଙ୍କ ଆତ୍ମୀୟମାନେ ଶ୍ରୀନଗରରେ ପହଞ୍ଚିବା ପୂର୍ବରୁ ପୋଲିସ ବଳପୂର୍ବକ ତାଙ୍କ ଶବକୁ ନେଇ କବର ଦେଇଥିବା ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ସହ ପୋଲିସ ଦୁର୍ବ୍ୟବହାର କରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।


























