ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଗୌତମୀ

ଚେନ୍ନାଇ : ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଗୌତମୀ ତାଡିମଲ୍ଲା। ଦଳରୁ ସମର୍ଥନ ନମିଳିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ହେଲେ ଦଳର ତାମିଲନାଡୁ ୟୁନିଟ୍ ମୁଖ୍ୟ କେ ଆନ୍ନାମଲାଇ କହିଛନ୍ତି ଭୁଲ ବୁଝାମଣା ଯୋଗୁ ଏପରି କହିଛନ୍ତି।
ଖବର ଅନୁଯାୟୀ ଶୁକ୍ରବାର ଗୌତମୀ ତାଡିମଲ୍ଲା ବିଜେପିରେ ତାଙ୍କର ୨୫ ବର୍ଷର କାର୍ଯ୍ୟକାଳ ଶେଷ କରିଥିଲେ। ତାଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କ ସହିତ ଦଳର କିଛି ସଦସ୍ୟଙ୍କ ସହଯୋଗ ରହିଥିବା ଆଣିଥିଲେ ଅଭିଯୋଗ। ଏହାର ପ୍ରତିକ୍ରିୟାରେ ଆନ୍ନାମଲାଇ କହିଛନ୍ତି ମୁଁ ଗୌତମୀ ତାଡିମଲ୍ଲାଙ୍କ ସହ ଫୋନରେ କଥା ହୋଇଛି। ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏଫଆଇଆର ରୁଜୁ କରିବା ପାଇଁ ଆମେ ତାଙ୍କୁ ସମର୍ଥନ କରିଥିଲୁ। କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି କିଛି ବିଜେପି କର୍ମୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି। ତେବେ କେହି ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁନାହାନ୍ତି। ଆଜି ମଧ୍ୟ ମୁଁ ଗୌତମୀଙ୍କ ସହ କଥା ହୋଇଥିଲି। ଆମ ଭିତରେ ଭୁଲ ବୁଝାମଣା ହୋଇଛି।
ସୂଚନାଯୋଗ୍ୟ ଇସ୍ତଫା ପତ୍ରରେ ଗୌତମୀ ଉଲ୍ଲେଖ କରିଛନ୍ତି ସେ ତାଙ୍କ ଜୀବନର ଏକ ଅକଳ୍ପନୀୟ ସଙ୍କଟ ମୁହୂର୍ତ୍ତରେ ଠିଆ ହୋଇଛନ୍ତି। ସେ ଅତ୍ୟନ୍ତ ଭାରୀ ହୃଦୟ ଓ ଗଭୀର ନିରାଶା ସହିତ ଦଳ ଛାଡିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ଗୌତମୀ ଅଭିଯୋଗ କରିଛନ୍ତି ୨୦ ବର୍ଷ ତଳେ ସି ଅଲାଗପ୍ପନ୍ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ବନ୍ଧୁତା କରିଥିଲେ। ଗୌତମୀ ତାଙ୍କୁ ଜମି ବିକ୍ରି କରିବାକୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ନିକଟରେ ସେ ଜାଣିବାକୁ ପାଇଲେ ସେ ତାଙ୍କୁ ଠକିଛନ୍ତି। ତାଙ୍କ ନାଁରେ ଏଫଆଇଆର ଦାଏର ହେବା ପରେ ବିଜେପିର ଅନେକ ବରିଷ୍ଠ ସଦସ୍ୟ ଅଲାଗପ୍ପନ୍ଙ୍କୁ ସୁରକ୍ଷା ଦେବା ସହ ଫେରାର କରାଇଦେଇଛନ୍ତି। ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପୋଲିସ ବିଭାଗ ଓ ନ୍ୟାୟିକ ବ୍ୟବସ୍ଥା ତାଙ୍କୁ ନ୍ୟାୟ ଦେବାରେ ସହାୟକ ହେବ ବୋଲି ସେ ଆଶା ରଖିଛନ୍ତି।