ଫାଇଭ-ଟି ସଚିବଙ୍କ ବିରୋଧରେ ଅଭିଯୋଗ : ମୁଖ୍ୟ ସଚିବଙ୍କୁ କେନ୍ଦ୍ରରୁ ଚିଠି

ଭୁବନେଶ୍ଵର : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତକୁ ନେଇ ପ୍ରଶ୍ନ ଉଠିଛି। ଏହିଭଳି ସମୟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତଥ୍ୟ ଆଧାରରେ କରିଥିଲେ ଲିଖିତ ଅଭିଯୋଗ। ଏବେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି। ଯାହା ପ୍ରଶାସନିକ ଓ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଖବର ଅନୁଯାୟୀ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁ ସଚିବ ରୂପେଶ କୁମାର ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଗତ ଜୁନ୍ ୨୪ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ ଏକ ସିଡି ଓ ପେନଡ୍ରାଇଭରେ ତଥ୍ୟ ସମ୍ବଳିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

janatakhabar.in

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏହି ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି। ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟ ପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି। ଆଇନ ଏ ଦିଗରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଆଜି ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଏକ ଅଭିଯୋଗପତ୍ର ଲେଖିଛନ୍ତି। ସେ ଦର୍ଶାଇଛନ୍ତି ପାରଳାଖେମୁଣ୍ଡିରେ ବିଜେଡିର ଏକ ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋଚିତ୍ର ଓ ପ୍ରକଳ୍ପ ରାଶି ଘୋଷଣା ସର୍ଭିସ ରୁଲସ ଉଲ୍ଲଘଂନ। ସେ ଏ ସମ୍ପର୍କିତ ତଥ୍ୟ ଦେଇଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ଅଡ଼ିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି କ’ଣ ପ୍ରମାଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଉଛନ୍ତି ତା’ହେଲେ ଲିଖିତ ଭାବେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ।

Leave a Reply

Your email address will not be published. Required fields are marked *

Back to top button