ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପାଞ୍ଚବର୍ଷ ଧରି ବିଜୟ ରୁପାଣୀ ବିଜେପିର ଗୁଜରାଟ ମୁଖ୍ୟମନ୍ତ୍ରୀ ରହିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ଆଉ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ ଜାରି ରଖିବେ ବୋଲି କହିଛନ୍ତି। ତେବେ କାହିଁକି ଇସ୍ତଫା ଦେଲେ ତାହା ସ୍ପଷ୍ଟ କରିନାହାନ୍ତି।

ଆସନ୍ତାବର୍ଷ ଡିସେମ୍ବରରେ ହେବ ଗୁଜରାଟ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରୁପାଣୀଙ୍କ ଇସ୍ତଫା ନିଷ୍ପତ୍ତିକୁ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଶନିବାର ଆୟୋଜିତ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜୟ ରୁପାଣୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଗୁଜରାଟର ଡେପୁଟୀ ସିଏମ୍ ନୀତୀନ ପଟେଲ ମଧ୍ୟ ଉପସ୍ଥିତ ଥିଲେ।

ଖବର ଅନୁଯାୟୀ ବିଜେପି ଗୁଜରାଟରେ ଏବେ ନୂଆ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଯାଉଛି। ଗତ କିଛିମାସ ଧରି ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟରେ ବିଜେପିକୁ କଡ଼ା ଟକ୍କର ଦେଇଆସୁଥିବା ବେଳେ କରୋନା ଦ୍ୱିତୀୟ ଲହର୍ ସମେତ ଅନେକ ପ୍ରସଙ୍ଗ ଉଠାଇ ରୁପାଣୀ ସରକାରକୁ ଘେରିଛି। ଅନ୍ୟପକ୍ଷରେ କଂଗ୍ରେସ ଗୁଜରାଟର ପୂର୍ବ ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଏହା ପରେ କଂଗ୍ରେସ କର୍ମକର୍ତ୍ତା ଲଗାତର ଗୁଜରାଟରେ ସକ୍ରିୟ ହୋଇ ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି।

ବିଜୟ ରୁପାଣିଙ୍କ ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ କୌଣସି ସୂଚନା ମିଳିନାହିଁ। କିଛି ବର୍ଷ ଛାଡ଼ି ୧୯୯୫ ମସିହା ପରଠାରୁ ଗୁଜରାଟରେ ବିଜେପି ସରକାର ରହି ଆସିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ରହିଆସିଛନ୍ତି। ସେହିପରି ଏବେ ବିଜେପି କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିବା ବେଳେ ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପାଙ୍କୁ ଇସ୍ତଫା ଦେଇଥିଲେ। ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା। ଉତ୍ତରାଖଣ୍ଡରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକରେ ପାର୍ଟି ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରିଥିଲା। ସେହିପରି ଆସାମରୁ ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button