ଲଗାଣ ବର୍ଷାକୁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ଗତ ଦୁଇଦିନ ଧରି ଜାରି ରହିଥିବା ଲଗାଣ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୨୨ ତାରିଖ ସୁଦ୍ଧା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ବେଳେ ସେ କହିଛନ୍ତି ଓଡ଼ିଶା ରିଲିଫ କୋଡ୍ର ଅନୁଚ୍ଛେଦ-୩ ଅନୁସାରେ ୩ଦିନ ଧରି ପ୍ରବଳ ବର୍ଷା ହେଲେ କିମ୍ବା ମାସକର ହାରାହାରି ବର୍ଷା ପରିମାଣ ତୁଳନାରେ ୩ଗୁଣା ଅଧିକ ବର୍ଷା ବ୍ଲକ ଓ ଅଚଂଳରେ ହୋଇଥିଲେ ତାକୁ ‘ପ୍ରବଳ ବର୍ଷା’ ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ଏହାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିସାରିଛନ୍ତି। ତେଣୁ ବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତି ନିମନ୍ତେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଗତିଶୀଳ କରିବା ଏବଂ ରିଲିଫ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କଲେ ପାଣ୍ଠି ଆବଣ୍ଟନ କରାଯାଇପାରିବ। ଚଳିତମାସ ୨୨ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ମିଳିଲେ ପ୍ରଭାବିତ ଲେକାଙ୍କୁ ସହାୟତା ଦିଆଯିବ।
ସେ କହିଲେ କ୍ଷୟକ୍ଷତି ଆକଳନ ସମୟରେ ଭାଙ୍ଗି ଯାଇଥିବା ଘର ଓ ନଷ୍ଟ ହୋଇଥିବା ଫସଲର ଜିଓ ଟ୍ୟାଙ୍ଗିଙ୍ଗ୍ କରିବା ସହ ଫଟୋଗ୍ରାଫରେ ସମୟ ଉଲ୍ଲେଖ ରଖିବାକୁ କୁହାଯାଇଛି। ଯଦି ଘର ସମ୍ପୂର୍ଣ୍ଣ କିମ୍ବା ଅଧିକ ଭାଙ୍ଗିଯାଇଛି ତେବେ କ୍ଷୟକ୍ଷତି ଆକଳନବେଳେ ହିତାଧିକାରୀଙ୍କ ସହ ସେହି ଘରର ଫଟୋ ଉଠାଇବାକୁ ପରାମର୍ଶ ଦିଆଯାଇଛି। ହିତାଧିକାରୀଙ୍କୁ ପୋଷାକ, ବାସନକୁସନ ଆଦି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଫସଲ ନଷ୍ଟ ହୋଇଥିଲେ ତା’ର ଆକଳନ ମିଳିତ ଭାବେ ରାଜସ୍ୱ, କୃଷି, ଉଦ୍ୟାନକୃଷି କର୍ମଚାରୀମାନେ କରିବେ। ଫସଲ ଆକଳନ ଯେପରି ଠିକ୍ ରହିବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।
ଯଦି ଲଗାଣ ବର୍ଷାରେ କେହି ପ୍ରାଣ ହରାଇଥାନ୍ତି ତାଙ୍କୁ ସହାୟତା ଦେବା ନିମନ୍ତେ ଅନଲାଇନରେ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ମୃତ ବ୍ୟକ୍ତିଙ୍କ ପରିବାରଜନଙ୍କୁ ଶୀଘ୍ର ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରାଯାଇପାରିବ। କ୍ଷୟକ୍ଷତି ସୀମିତ ପରିମାଣରେ ହୋଇଥିବାରୁ ଏସଆରସିଙ୍କ ପାଣ୍ଠିକୁ ଅପେକ୍ଷା ନକରି ଆବଶ୍ୟକ ସହାୟତା ବଣ୍ଟନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ହିଁ ଏସଆରସିଙ୍କ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯିବ। ଘର ନଷ୍ଟ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଲିଥିନ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଲଗାଣ ବର୍ଷା ପ୍ରଭାବରେ ୧୧ଟି ଜିଲ୍ଲାର ୫୩ଟି ବ୍ଲକର ୧୯.୫୩ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୮୧୯ଜଣଙ୍କୁ ସ୍ଥାନାନ୍ତର ଓ ୨୬୫ଟି ଘର ଭାଙ୍ଗିଥିବା ଜଣାପଡ଼ିଛି।