ବିପଦ ସଙ୍କେତ ଟପୁଛି ଯମୁନା : ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦିଲ୍ଲୀର ଇଣ୍ଡିଆ ଗେଟ୍‌ ଅଞ୍ଚଳ ଜଳର୍ଣ୍ଣବ ହୋଇ ପାରେ ବୋଲି ଜାତୀୟ ଗଣାମାଧ୍ୟମରେ ରିପୋର୍ଟ ହୋଇଛି।

ଖବର ଅନୁଯାୟୀ ଦିଲ୍ଲୀର ଲାଲ୍‌ କିଲ୍ଲା ଓ ପୁରୁଣା ସଚିବାଳୟରେ ବନ୍ୟାଜଳ ପ୍ରବେଶ କରିଛି। ଯମୁନା ନଦୀଠାରୁ ମାତ୍ର ୩/୪ କିଲୋମିଟର୍‌ ଦୂରରେ ଥିବା ଇଣ୍ଡିଆ ଗେଟ୍‌ରେ ବନ୍ୟାଜଳ ପ୍ରବେଶ କରିବାକୁ ବେଶୀ ସମୟ ନ ଲାଗି ପାରେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ୧୯୭୮ ମସିହାରେ ଯମୁନା ନଦୀର ଜଳସ୍ତର ୨୦୭.୪୯ ମିଟର୍‌ ବୃଦ୍ଧି ପାଇ ଏଯାବତ୍‌ ସର୍ବୋଚ୍ଚ ରେକର୍ଡ କରିଥିଲା। କିନ୍ତୁ ଚଳିତ ବର୍ଷ ପୂର୍ବ ରେକର୍ଡ ଭାଙ୍ଗିଛି। ଯମୁନାର ଜଳସ୍ତର ୨୦୮.୪୮ ମିଟର୍‌କୁ ବୃଦ୍ଧି ପାଇଥିବା ବେଳେ ବନ୍ୟାଜଳ ଦିଲ୍ଲୀ ସହର ଭିତରକୁ ପ୍ରବେଶ କରି ବିଭିନ୍ନ ପ୍ରାନ୍ତକୁ ଜଳମଗ୍ନ କରିଛି। ଅନେକ ସ୍ଥାନରେ ପାଣି ଜମି ରହିଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନଠାରୁ ମାତ୍ର ୫୦୦ ମିଟର୍‌ ଦୂର ସିଭିଲ୍‌ ଲାଇନ୍‌ ଅଞ୍ଚଳ ରିଙ୍ଗ୍‌ ରୋଡ୍‌ରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି କେଜ୍ରିୱାଲ୍‌ଙ୍କ ଦିଲ୍ଲୀ ସେକ୍ରେଟେରିଏଟ୍‌ ହାଉସିଙ୍ଗ୍‌ ଅଫିସ୍‌, ତାଙ୍କ କ୍ୟାବିନେଟ୍‌ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନରେ ବନ୍ୟାଜଳ ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି ଜଳସ୍ତର ହ୍ରାସ ପାଇଁ ଉଦ୍ୟମ ଚାଲିଛି। ୨ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରି ଘରେ ରହି କାମ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button