ବିଜେଡି ସରକାରରେ କନ୍ଧମାଳରେ ବିକାଶ ହୋଇନି : ମନମୋହନ

କନ୍ଧମାଳ : ୨୩ ବର୍ଷର ବିଜେଡି ସରକାରରେ କନ୍ଧମାଳରେ କୃଷି ଓ ପର୍ଯ୍ୟଟନ ଶିଳ୍ପର କୌଣସି ବିକାଶ ହୋଇନାହିଁ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

କନ୍ଧମାଳ ଗସ୍ତରେ ଥିବା ଶ୍ରୀ ସାମଲ ଆଜି ବାଲିଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହଳଦୀ ଚାଷରେ ଭାରତର ୫ମ ରାଜ୍ୟ ଓଡିଶା। ୨୦୩୦ ମସିହା ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ୧ବିଲିୟନ ଆମେରିକା ଡଲାରକୁ ପହଂଚାଇବା ପାଇଁ କେନ୍ଦ୍ରର ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଜୀ “ଜାତୀୟ ହଳଦୀ ବୋର୍ଡ” ଗଠନ କରିଛନ୍ତି। ଦକ୍ଷତା ବିକାଶ ବିଭାଗ, ପାରିପାର୍ଶ୍ୱିକ ପ୍ରଶିକ୍ଷଣ, ହଳଦୀ ଚାଷ ପାଇଁ ପ୍ରୋତ୍ସାହନ, ଧାର୍ଯ୍ୟ ବଜାର ଦର, ଆବଶ୍ୟକୀୟ ବ୍ୟବସ୍ଥା ‘ଜାତୀୟ ହଳଦୀ ବୋର୍ଡ’ର ପରିସର ଭିତରେ ରହିବ। ଏହାଦ୍ୱାରା ବିଶେଷ ଭାବେ ପ୍ରସିଦ୍ଧ ଲାଭ କରିଥିବା କନ୍ଧମାଳ ଜିଲ୍ଲାର ହଳଦୀର ଚାହିଦା ବୃଦ୍ଧି ପାଇବା ସହିତ ଜିଲ୍ଲାର ଚାଷୀ ଭାଇଭଉଣୀମାନେ ସର୍ବାଧିକ ଲାଭାନ୍ୱିତ ହେବେ ଓ ତାଙ୍କର ଆର୍ଥୀକ ଅଭିବୃଦ୍ଧି ହେବ। ଓଡିଶା ସମେତ କନ୍ଧମାଳର ଲକ୍ଷାଧିକ ହଳଦୀ ଚାଷୀଙ୍କ ମନବଳ ଦୃଢ଼ କରିବା ସହ ତାଙ୍କୁ ଆଗକୁ ବଢ଼ିବାର ନୂଆପଥ ଦେଖାଇଥିବାରୁ ଓଡ଼ିଶାବାସୀ ତଥା କନ୍ଧମାଳର ହଳଦୀ ଚାଷୀଙ୍କ ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ କହିଲେ ଓଡ଼ିଶାରେ ୫୬ ପ୍ରତିଶତ ଜଙ୍ଗଲ ସମ୍ପଦ ରହିଛି। କନ୍ଧମାଳ ଜିଲ୍ଲା ପ୍ରାକୃତିକ ସମ୍ପଦ, ଉର୍ବର ମାଟି, ପର୍ଯ୍ୟଟନ, ଖଣିଜ ପଦାର୍ଥରେ ଭରପୁର। କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କନ୍ଧମାଳବାସୀଙ୍କ ଆର୍ଥିକ ବିକାଶ ହେବା ସମ୍ଭବ ହେଉନାହିଁ। ମୋଦି ସରକାର କନ୍ଧମାଳର ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଉଛନ୍ତି। ହେଲେ ରାଜ୍ୟ ସରକାର ଆନ୍ତରିକତା ଅଭାବରୁ ଏହା ବିଫଳ ହୋଇଛି। କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ହେଲେ ଦାଦନ ଖଟୁଥିବା ଲୋକ ଉପକୃତ ହେବା ସହ ସେମାନଙ୍କର ଆର୍ଥିକ ସ୍ଥିତିର ବିକାଶ ହେବ। ପର୍ଯ୍ୟଟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଓଡ଼ିଶାରେ କେତେ ଲୋକ ଦାଦନ ଖଟୁଛନ୍ତି ତାହାର ହିସାବ ରଖିବାକୁ ରାଜ୍ୟ ସରକାରଙ୍କୁ ଡର ଲାଗୁଛି ବୋଲି ଶ୍ରୀ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି କଂଗ୍ରେସ ସରକାର ୨୦୦୪ ରୁ ୨୦୧୪ର ୧୦ବର୍ଷରେ ୨ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଇଥିଲା । ମୋଦି ସରକାର ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଦେଲେ ଓଡ଼ିଶାକୁ । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ହାତଖୋଲା ସାହାଯ୍ୟ କରିଥିବାରୁ ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ପୂର୍ବ ଭାରତ ବିକାଶର ପରିକଳ୍ପନାରେ ଓଡ଼ିଶା ପ୍ରାଥମିକତାରେ ରହିଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ କରିବା ସହ କନ୍ଧମାଳକୁ ୮ଟି ଏକଲବ୍ୟ ସ୍କୁଲ ଦେଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପଦ୍ମଚରଣ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଂଯୋଜିକା କଳ୍ପନା କହଁର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button