ହତ୍ୟା ଅଭିଯୁକ୍ତକୁ ଭେଟିଲେ ବିଧାୟକଙ୍କ ପୁଅ

ଘଷିପୁରା : ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଳଦେଇ ଗ୍ରାମରେ ବାଲି ଘାଟ ବିବାଦକୁ ନେଇ ଗତ କିଛିମାସ ତଳେ ହତ୍ୟାକାଣ୍ଡ ଘଟିଥିଲା। ଏହାର ମୁଖ୍ୟ ଅଭିଯୁକ୍ତକୁ ଘଷିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ବିଚାର ବିଭାଗୀୟ ହାଜତରେ ଭେଟିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବାଲିଘାଟ ବିବାଦକୁ ନେଇ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ଗ୍ରାମର ମଲ୍ଲି ଜେନାଙ୍କୁ ହତ୍ୟା କରଯାଇଥିଲା। ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ଵାମୀ ମଦନ ମୋହନ ସାହୁ। ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ତାଙ୍କୁ ଭେଟିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସାଧାରଣରେ ପ୍ରଶ୍ନ ଉଠୁଛି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ବିଧାୟକଙ୍କ ପୁଅ କାହିଁକି ବିଚାର ବିଭାଗୀୟ ହାଜତରେ ଭେଟିଲେ ? ସେହିପରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର କହିଛନ୍ତି ସେ ଅଭିଯୁକ୍ତଙ୍କ ସହଯୋଗୀ ବୋଲି ସନ୍ଦେହ ସୃଷ୍ଟି ହେଉଛି। ଏ ନେଇ ଦେବାଶିଷ ପାତ୍ରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *

Back to top button