କନକ ମଞ୍ଜରୀ କଲେଜ ଅଧ୍ୟକ୍ଷ ନିଲମ୍ବିତ

ଘସିପୁରା : ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି। କଲେଜ ପରିଚାଳନା କମିଟି ସଭାପତି ଦିଲୀପ ଦାସ ପତ୍ର ସଂଖ୍ୟା ୧୨ ମାଧ୍ୟମରେ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଓ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସୁପାରିସ କ୍ରମେ କଲେଜ ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଖୋଲିଥିବା ବେଳେ ସେଠାରୁ ଶ୍ରୀ ମହାନ୍ତି ପରୀକ୍ଷା ଖାତା କେନ୍ଦ୍ର ବାହାରକୁ ଆଣିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାରେ ତଦନ୍ତ ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରୀ ମହାନ୍ତିଙ୍କ ସମେତ ଖାତା ଦେଖାରେ ନିୟୋଜିତ ତାଙ୍କ ଝିଅ କନକ ମଞ୍ଜରୀ କଲେଜର କାଜଲ ମହାନ୍ତି, ସାଇଁକୁଳ ପତିତପାବନ କଲେଜର ଦେବସ୍ମିତା ଜେନା ପାଟ୍ଟଶାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖାତାଦେଖା ପ୍ରକ୍ରିୟାରୁ ବାଦ ଦେଇଥିଲେ। ହେଲେ ଶ୍ରୀ ମହାନ୍ତି କନକ ମଞ୍ଜରୀ କଲେଜ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇ ଆସୁଥିବା ବେଳେ କିଭଳି ପରୀକ୍ଷା ଓ ଅନ୍ୟାନ୍ୟ ପରିଚାଳନା ଦାୟିତ୍ୱରେ ରହିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଶେଷରେ ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଗତ ମାସକ ମଧ୍ୟରେ କନକ ମଞ୍ଜରୀ କଲେଜରେ ଫି ବୃଦ୍ଧି, ମହିଳା ହଷ୍ଟେଲରେ ପୁରୁଷଙ୍କ ଅବାଧ ପ୍ରବେଶ ଓ ହଷ୍ଟେଲ ଛାତ୍ରୀ ବାରମ୍ବାର ଅସୁସ୍ଥ ହେବା ଘଟଣାରେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ଅସନ୍ତୋଷ ତେଜିଥିଲା।

Leave a Reply

Your email address will not be published. Required fields are marked *

Back to top button